ନୂଆଦିଲ୍ଲୀ,୩ /୧୦: ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ବିହାର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଆଜି କଂଗ୍ରେସ ଘୋଷଣା କରିଛି। ବିହାର କଂଗ୍ରେସ ନେତା ଅବିନାଶ ପାଣ୍ଡେ କହିଛନ୍ତି, ବିହାର ବିଧାନସଭା ନିର୍ବାଚନରେ ଗୋଟିଏ ମେଣ୍ଟ ଭାବେ ଏକତ୍ର ହେବା ଲାଗି ‘ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲିଆନ୍ସ୍’ର ସମସ୍ତ ସଦସ୍ୟ ସ୍ଥିର କରିଛନ୍ତି। ଆର୍ଜେଡିର ନେତୃତ୍ବରେ କଂଗ୍ରେସ, ଆର୍ଜେଡି, ସିପିଆଇ, ସିପିଏମ୍ ଏବଂ ବିକାଶଶୀଳ ଇନ୍ସାନ୍ ପାର୍ଟି ଏହି ମେଣ୍ଟର ଅଂଶ ହେବେ। ତେଜ୍ବସୀ ଯାଦବଙ୍କ ନେତୃତ୍ବରେ ବିହାର ସମୃଦ୍ଧ ହେଉ ବୋଲି ଆମର ଇଚ୍ଛା।
ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନରେ ଆର୍ଜେଡି ୧୪୪, କଂଗ୍ରେସ ୭୦ ଓ ବାମ ଦଳ ୨୯ଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ। ବାମ ଦଳମାନଙ୍କ ମଧ୍ୟରୁ ସିପିଆଇ(ଏମ୍) ୪, ସପିଆଇ ୬ ଓ ସିପିଆଇ(ଏମ୍ଏଲ୍) ୧୯ଟି ଆସନରୁ ପ୍ରାର୍ଥୀ ଠିଆ କରାଇବେ।