ବିହାରରେ ଏନଡ଼ିଏ ଆସନ ବୁଝାମଣା ଚୂଡ଼ାନ୍ତ : ଜେଡ଼ିୟୁକୁ ୧୨୨ ଏବଂ ବିଜେପିକୁ ୧୨୧

ଦିଲ୍ଲୀ,୪ /୧୦ : ବିହାରରେ ଆଜି ଏନଡିଏ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି । ସୂଚନା ଅନୁଯାୟୀ, ନୀତୀଶ କୁମାରଙ୍କୁ ଶେଷରେ ବିଜେପି ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି ଏବଂ ବର୍ତ୍ତମାନ ସେ ୫୦-୫୦ ସୂତ୍ର ଅନୁଯାୟୀ ସିଟ୍ ବାଣ୍ଟିବାକୁ ରାଜି ହୋଇଛନ୍ତି।

ଜନତା ଦଳ (ୟୁନାଇଟେଡ୍) ବିଜେପି ଅପେକ୍ଷା ଅଧିକ ଆସନ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ନୀତୀଶ କୁମାର ଗତ କିଛି ଦିନ ଧରି ଜିଦ୍ ଧରିଥିଲେ, କିନ୍ତୁ ଶେଷରେ ତାଙ୍କୁ ଜିଦ୍‌ ଛାଡିବାକୁ ପଡିଛି । ସୂଚନା ଅନୁସାରେ ଜେଡିୟୁ ୧୨୨ଟି ଆସନ ଏବଂ ଭାରତୀୟ ଜନତା ପାର୍ଟି୧୨୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଜେଡିୟୁ ମଧ୍ୟ ବିଜେପିର ଅନେକ ପାରମ୍ପାରିକ ଆସନ ପାଇଁ ଦାବି କରିଥିଲା, କିନ୍ତୁ ବର୍ତ୍ତମାନ ଏହି ଦାବିରୁ ଜେଡ଼ିୟୁୁ ଓହରିଛି ।

ଶନିବାର ଅପରାହ୍ନରେ ପାଟନାରେ ବିଜେପି ଓ ଜେଡିୟୁ ମଧ୍ୟରେ ଶେଷ ରାଉଣ୍ଡ ଆଲୋଚନା ହୋଇଥିଲା। ଶନିବାର ଦିନ ଲଲାନ ସିଂ, ଆରସିପି ସିଂ, ବିଜୟ ଚୌଧୁରୀ ଏବଂ ବିଜନ୍ଦର ଯାଦବଙ୍କ ସହ ୪ ନେତା ଦେବେନ୍ଦ୍ର ଫଡନାଭିସ୍, ଭୁପେନ୍ଦ୍ର ଯାଦବଙ୍କ ସହ ୪ ଘଣ୍ଟିଆ ଦୀର୍ଘ ମାରାଥନ ବୈଠକ କରିଛନ୍ତି ।

ଏହି ବୈଠକ ପରେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଭୁପେନ୍ଦ୍ର ଯାଦବ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି, ଯେଉଁଠାରେ ସିଟ୍ ବଣ୍ଟନ ପ୍ରସଙ୍ଗରେ ବିଜେପି ହାଇକମାଣ୍ଡ ସହ ଆଲୋଚନା ହୋଇଛି । ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପ୍ରକ୍ରିୟା ଅକ୍ଟୋବର ୧ ରୁ ଆରମ୍ଭ ହୋଇଛି | ଅକ୍ଟୋବର ୨୮ ରୁ ବିହାରରେ ତିନିଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଫଳାଫଳ ନଭେମ୍ବର ୧୦ ରେ ଆସିବ।