ଖୋର୍ଦ୍ଧା,୫ /୧୦ : ଖୋର୍ଦ୍ଧା ସହରରେ ଦ୍ୱିତୀୟ ଥର ଜଙ୍ଗଲି ହାତୀ ପ୍ରବେଶ କରିଛି। ସହରରେ ହାତୀ ପ୍ରବେଶ କରିବା ଫଳରେ ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆଖି ବିଭାଗ ନିକଟରେ ଘୁରି ବୁଲୁଥିବାର ଦୃଶ୍ୟ ଦେଖି ଡାକ୍ତରଖାନା କର୍ମଚାରୀଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟମାନେ ଭୟବିତ ହୋଇ ପଡିଛନ୍ତି। ତେବେ ସହର ମଧ୍ୟରେ ହାତୀ ପ୍ରବେଶ କରିବା ନେଇ ଚିକିତ୍ସାଳୟ କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ପ୍ରଥମେ ଖୋର୍ଦ୍ଧା ପୁଲିସ ଓ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଓ ଖୋର୍ଦ୍ଧା ପୁଲିସ ଘଟଣା ସ୍ଥଳରେ ପଂହଚି ହାତୀଙ୍କୁ ସହର ମଧ୍ୟରୁ ହଟାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ହାତୀ ଦ୍ୱୟ ହଟିବା ପରିବର୍ତ୍ତେ ଚିକିତ୍ସାଳୟ ପରିସରରେ ଥିବା ଔଷଧ ବଗିଚା ପରିସରରେ ଲୁଚି ରହିଥିଲେ। ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ସାଧାରଣ ଲୋକଙ୍କ ଜୀବନ ରକ୍ଷା କରିବା ନେଇ ବହୁ ଚେଷ୍ଟା କରିବା ପରେ ଦନ୍ତା ହାତୀ ଦ୍ୱୟ ଖୋର୍ଦ୍ଧା ଉପକଣ୍ଠ ଜରିପୁଟ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ମିଳିଛି। ଏପରିକି ଜରିପୁଟ ପରେ ଏବେ ଦୁଇ ବାଟବଣା ଦନ୍ତା କାଇପଦର ଜଙ୍ଗଲରେ ଥିବା ଅନ୍ୟ ୨୫ଟିକିଆ ହାତୀ ପଲ୍ଲଙ୍କ ସହିତ ମିଶିଛନ୍ତି। ତେବେ ଖୋର୍ଦ୍ଧା ସହରରେ ହାତୀ ପଲ୍ଲ ପଶିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି।