ଜିଏସଟି ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ଘୋଷଣା, ଆଜି ରାତିରେ ରାଜ୍ୟଗୁଡିକୁ ମିଳିବ ୨୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ, ୫/୧୦ : ଆଜି ୪୨ତମ ‘ଜିଏସ୍‌ଟି’ ପରିଷଦ‌ ବୈଠକ ଅର୍ଥ ମନ୍ତ୍ରୀ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଜି ରାତି ସୁଦ୍ଧା କେନ୍ଦ୍ର ସରକାର ଏବର୍ଷ ସଂଗ୍ରହ ହୋଇଥିବା ‘କମ୍ପେନ୍‌ସେସନ୍ ସେସ୍’ ହସ୍ତାନ୍ତର କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏବର୍ଷ ସଂଗ୍ରହ ହୋଇଥିବା ‘କମ୍ପେନ୍‌ସେସନ୍ ସେସ୍‌’ ପ୍ରାୟ ୨୦, ୦୦୦ କୋଟି ଟଙ୍କା। ନଗଦ ଅର୍ଥାଭାବରେ ଥିବା ରାଜ୍ୟମାନଙ୍କୁ ଏହି ‘ସେସ୍’ ଆଶ୍ବସ୍ତି ଦେବ। ପଡ଼ି ରହିଥିବା ରାଜ୍ୟମାନଙ୍କ ‘ଜିଏସ୍‌ଟି କ୍ଷତିପୂରଣ’ ବାବଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ ଯେ, ଜିଏସ୍‌ଟି ଆଇନ ପ୍ରସ୍ତୁତ କରାଯିବା ବେଳେ କୋଭିଡ୍-୧୯ ଭଳି ମହାମାରୀ କଥା ବିଚାରକୁ ନିଆଯାଇ ନ ଥିଲା। ଆମେ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବାକୁ ମନା କରିନାହୁଁ।

କାହାରିକୁ କ୍ଷତିପୂରଣ ଦିଆଯିବାକୁ ମନା କରାଯିବ ନାହିଁ, ଉଧାର ନିଆଯିବା ଆବଶ୍ୟକ। କେମିତି ଏବଂ କେବେ ତାହା ରାଜ୍ୟମାନେ ସ୍ଥିର କରିବା ଆବଶ୍ୟକ। କେନ୍ଦ୍ର ପାଣ୍ଠି ଦେବାକୁ ବିଳମ୍ବ କରିନାହିଁ, ତେଣୁ ଉଧାର ପ୍ରସ୍ତାବ ଗ୍ରହଣ କରିଥିବା ୨୦ଟି ରାଜ୍ୟର ଇଚ୍ଛାକୁ ମୁଁ ଅଗ୍ରାହ୍ୟ କରିପାରିବି ନାହିଁ ବୋଲି ନୂଆଦିଲ୍ଲୀରେ ‘ଜିଏସ୍‌ଟି’ ପରିଷଦ୍‌ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଆଜି ଅର୍ଥ ମନ୍ତ୍ରାଳୟ ଦ୍ବାରା ଘୋଷିତ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେଲା, ୫ କୋଟିରୁ କମ୍ କାରବାର ଥିବା କମ୍ପାନିମାନେ ଆଉ ମାସିକ ରିଟର୍ଣ୍ଣ ଫାଇଲ୍ କରିବେ ନାହିଁ। ସେମାନେ ତ୍ରୈମାସିକ ରିଟର୍ଣ୍ଣ ଦାଖଲ କରିପାରିବେ। ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି, ଜାନୁଆରି ପହିଲାରୁ ଆଗକୁ ଯେଉଁ ଟିକସଦାତାମାନଙ୍କର ବାର୍ଷିକ କାରବାର ୫ କୋଟି ଟଙ୍କାରୁ କମ୍ ସେ‌ମାନେ ‘ଜିଏସ୍‌ଟିଆର୍‌ ୩ବି’ ଏବଂ ‘ଜିଏସ୍‌ଟିଆର୍‌୧’ ନିମନ୍ତେ ମାସିକ ରିଟର୍ଣ୍ଣ ଦାଖଲ କରିବା ଅନାବଶ୍ୟକ। ସେମାନେ କେବଳ ତ୍ରୈମାସିକ ରିଟର୍ଣ୍ଣ ଦାଖଲ କରିବେ। ପୁଣି ଅକ୍ଟୋବର ୧୨ ତାରିଖ ଦିନ ‘ଜିଏସ୍‌ଟି’ ପରିଷଦ୍ ବୈଠକ ବସିବ।