ୱାଶିଂଟନ, ୬/୧୦ : କରୋନା ସଂକ୍ରମଣରେ ପୀଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।ତାଙ୍କୁ ହ୍ୱାଇଟ ହାଉସକୁ ସ୍ଥାନାନ୍ତର କରାଯାଇଛି। ସେ ୱାଲ୍ଟର ରିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ହେଲିକପ୍ଟରରେ ହ୍ୱାଇଟ ହାଉସରେ ପହଞ୍ଚିଥିଲେ। ହ୍ୱାଇଟ ହାଉସରେ ପହଞ୍ଚିବା ମାତ୍ରେ ଟ୍ରମ୍ପ ତାଙ୍କ ମୁହଁରୁ ମାସ୍କ ବାହାର କରିଥିଲେ। ହ୍ୱାଇଟ ହାଉସର ଡାକ୍ତର ଡ. ସିନ କୋନଲି କହିଛନ୍ତି ଯେ ଟ୍ରମ୍ପ ଏପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ ବିପଦରୁ ବାହାରି ନାହାଁନ୍ତି।
ହେଲିକପ୍ଟରରୁ ଓହ୍ଲାଇବା ପରେ ଟ୍ରମ୍ପ ହ୍ୱାଇଟ ହାଉସରେ ପ୍ରବେଶ କରିଥିବା ସିଏନଏନ ରିପୋର୍ଟ କରିଛି। ଏହା ପରେ ସେ ନିଜ ମାସ୍କ କାଢ଼ି ପକେଟରେ ରଖିଥିଲେ। ତା’ପରେ ବାଲକୋନିରୁ ଲୋକଙ୍କୁ ହାତ ଉଠାଇ ଅଭିବାଦନ ଜଣାଇଥିଲେ।
ଟ୍ରମ୍ପ ହସ୍ପିଟାଲରୁ ଆସିବା ପୂର୍ବରୁ ଟୁଇଟ କରି କହିଥିଲେ ଯେ, ମୁଁ ଖୁବ ଶୀଘ୍ର ସୁସ୍ଥ ହେବି ଓ ନିର୍ବାଚନ ପ୍ରଚାରକୁ ଓହ୍ଲାଇବି । ହସ୍ପିଟାଲରୁ ଫେରିବା ପୂର୍ବରୁ ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ ଯେ, ମୁଁ ସୁସ୍ଥ ଅନୁଭବ କରୁଛି ।