ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେଲେ ନାଁ ରଖାଯିବ ‘ଗତି’

ଭୁବନେଶ୍ୱର, ୬/୧୦ : ସାରା ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଛି । ସେପଟେ ଆଣ୍ଡାମାନରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଏହା ଘନୀଭୂତ ହେଲେ ଅକ୍ଟୋବର ୧୩ ତାରିଖ ବେଳକୁ ସାମୁଦ୍ରିକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

ଲଘୁଚାପ ସାମୁଦ୍ରିକ ବାତ୍ୟାର ରୂପ ନେଲେ ତାର ନାଁ ଗତି ରଖାଯିବ । ତେବେ ଏହା କେତେ ବଳଶାଳୀ ହେବ । ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ନାହିଁ । ତେବେ ୯ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ । କିନ୍ତୁ ଲଘୁଚାପ ପ୍ରଭାବରେ ୧୧ ରୁ ୧୩ ତାରିଖ ଯାଏ ରାଜ୍ୟର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ବର୍ଷିବ । ନବରଙ୍ଗପୁର, ରାୟଗଡା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ସୋନପୁର, ନୂଆପଡା, ବଲାଙ୍ଗୀର, ଅନୁଗୋଳ, କେନ୍ଦୁଝର, ବରଗଡ, ସମ୍ବଲପୁର ଆଦି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ତେଣୁ ମତ୍ସ୍ୟଜୀବୀକୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ତେବେ ଆସନ୍ତା କାଲିଠାରୁ ବର୍ଷା ପରିମାଣ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।