ମୁମ୍ବାଇ, ୬/୧୦ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜଡ଼ିତ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତୀଙ୍କୁ ପୁଣିଥରେ ବଡ଼ ଝଟକା ଲାଗିଛି। ସ୍ବତନ୍ତ୍ର ଏନଡିପିଏସ କୋର୍ଟ ରିୟା ଚକ୍ରବର୍ତୀ, ତାଙ୍କ ଭାଇ ସୌଭିକ ଚକ୍ରବର୍ତୀଙ୍କ ସମେତ ଅନ୍ୟ ୧୮ ଜଣ ଦୋଷୀଙ୍କ ରିମାଣ୍ଡ ଅବଧିକୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଆଜି ଏ ସମସ୍ତଙ୍କର ରିମାଣ୍ଡ ଅବଧି ଶେଷ ହେବାର ଥିଲା।
ଗତ ଶୁଣାଣିରେ ବିଶେଷ ଅଦାଲତ ରିୟା ଚକ୍ରବର୍ତୀଙ୍କ ରିମାଣ୍ଡ ଅବଧିକୁ ଅକ୍ଟୋବର ୬କୁ ବୃଦ୍ଧି କରିଥିଲେ। ଏହା ବ୍ୟତୀୟ ରିୟାଙ୍କ ତରଫରୁ ଆବେଦନ ହୋଇଥିବା ଜାମନି ଯାଚିକା ଉପରେ ବି ହାଇକୋର୍ଟ ନିଷ୍ପତି ଆଜି ଆସିପାରେ।
ଅନ୍ୟପକ୍ଷେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ରିୟା, ସୌଭିକ ଓ ଅନ୍ୟ ୧୮ ଜଣ ଅଭିଯୁକ୍ତଙ୍କୁ ଜାମିନ ଯାଚିକା ଉପରେ କଡ଼ା ବିରୋଧ କରି ଯାଚିକାକୁ ଖାରଜ କରିଥିଲେ। ଏନସିବି କହିଛି ସମାଜକୁ ବିଶେଷକରି ଯୁବପିଢ଼ିଙ୍କୁ ବାର୍ତା ଦେବାର ଅଛି ଯେ ନିଶା ପଦାର୍ଥ ସେବନରୁ ଦୂରେଇ ରହିବା ଦରକାର। ଯଦି ସେ ଏମିତି କରିବେ ତାହେଲେ ଏମିତି କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ଗ୍ରହଣ କରାଯିବ। ତେବେ ଏନସିବି ସେପ୍ଟେମ୍ବର ୮ରେ ରିୟାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଯଦି ରିୟା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଦଶ ବର୍ଷ ଜେଲ ଦଣ୍ଡ ହୋଇପାରେ।