ଭୁବନେଶ୍ୱର, ୬/୧୦ : ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟ୍ ଆତଙ୍କ ଦେଖାଯାଇଛି। ସ୍କୁଟି ଚଳାଇ ଯାଉଥିବା ଯୁବତୀଙ୍କଠାରୁ ଲୁଟେରାମାନେ ସୁନା ଚେନ୍ ଛିଣ୍ଡାଇ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଜଣେ ଯୁବତୀ ଆଚାର୍ଯ୍ୟ ବିହାର ଛକ ଦେଇ ସ୍କୁଟିରେ ସୈନିକ ସ୍କୁଲ ଆଡ଼କୁ ଯାଉଥିଲେ। ଏହି ସମୟରେ ୨ ଜଣ ଲୁଟେରା ବାଇକ୍ରେ ଯୁବତୀଙ୍କୁ ଅନୁସରଣ କରୁଥିଲେ। ଆପୋଲୋ ହସ୍ପିଟାଲ ନିକଟରେ ରାସ୍ତାରେ ସେମାନେ ସୁନା ଚେନ୍ ଝାମ୍ପି ନେଇ ସେଠାରୁ ଫେରାର ହୋଇଯାଇଥିଲେ। ଫଳରେ ଭାରସାମ୍ୟ ହରାଇ ସ୍କୁଟିରୁ ଖସି ପଡ଼ିଲେ ଯୁବତୀ। ଚଳନ୍ତାଗାଡ଼ିରୁ ଖସି ଯୁବତୀ ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଛିନ୍ତାଇ ଘଟଣା ସମ୍ପର୍କରେ ସହିଦନଗର ଥାନାରେ ଏତଲା ଦାୟର ହୋଇଛି ଏବଂ ସହିଦନଗର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।