ହାଥରସ ମାମଲା: ତଦନ୍ତ ପାଇଁ ଏସଆଇଟିକୁ ମିଳିଲା ୧୦ ଦିନ ଅତିରିକ୍ତ ସମୟ, ଆଜି ଦାଖଲ କରିବାର ଥିଲା ରିପୋର୍ଟ

ନୂଆଦିଲ୍ଲୀ, ୭/୧୦ : ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ (ଏସଆଇଟି)କୁ ରିପୋର୍ଟ ଦାଖଲ ପାଇଁ ୧୦ ଦିନ ଅଧିକ ସମୟ ଦିଆଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ଅବନୀଶ ଆୱସ୍ତି ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ତାଙ୍କ ରିପୋର୍ଟକୁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)ରେ ଦାଖଲ କରିବାର ସମୟ ୧୦ ଦିନ ବୃଦ୍ଧି କରାଯାଇଛି। ଯାଞ୍ଚ ପାଇଁ ଏସଆଇଟିକୁ ସାତ ଦିନ ସମୟ ଦିଆଯାଇଥିଲା | ଯାହାର ଅବଧି ଆଜି ପୂରଣ ହେଉଛି | ତଦନ୍ତ ପାଇଁ ଏସଆଇଟି ଟିମ୍ ଆହୁରି ୧୦ ଦିନ ମାଗିଥିଲେ, ଯାହା ୟୁପି ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇଛି। ଏହି ରିପୋର୍ଟ ଦାଖଲ ହେବା ପରେ ଘଟଣାର ସତ୍ୟତା ମଧ୍ୟ ଜଣାପଡ଼ିବ ।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ପରିବାର ଲୋକେ ଲଗାତାର ନ୍ୟାୟ ମାଗୁଛନ୍ତି । ସେମାନଙ୍କର ଦାବି ଯେ, ହାଥରସ ଘଟଣାରେ ପ୍ରକୃତରେ ଦାୟୀ କିଏ? ବିଗତ ୭ ଦିନ ହେବ ଉତ୍ତର ପ୍ରଦେଶର ୩ ଜଣ ବରିଷ୍ଠ ଅଧିକାରୀ ଘଟଣାର ସତ୍ୟତା ପଦାକୁ ଆଣିବା ପାଇଁ ଦିନ ରାତି କାମ କରୁଛନ୍ତି । ଏସଆଇଟି ପୀଡ଼ିତ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି । ଏଥି ସହିତ ଏସଆଇଟି ପ୍ରତକ୍ଷ୍ୟଦର୍ଶୀଙ୍କ ସହିତ କଥା ହୋଇଛି । ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ସହିତ ଜଡ଼ିତ ତଥ୍ୟ ପ୍ରତିଦିନ ବଦଳିବାରେ ଲାଗିଛି ।

ଏସଆଇଟି ତଦନ୍ତ ସମୟରେ ଏକ ନୂତନ ତଥ୍ୟ ଜାଣିବାକୁ ପାଇଛି । ପୀଡ଼ିତାଙ୍କ ଭାଇଙ୍କ ମୋବାଇଲ ଫୋନ ତାଙ୍କର ପତ୍ନୀ ତଥା ପୀଡ଼ିତାଙ୍କ ଭାଉଜ ବ୍ୟବହାର କରନ୍ତି । ଅଭିଯୁକ୍ତ ସନ୍ଦୀପ ଓ ପୀଡ଼ିତାଙ୍କ ଭାଉଜ ୨୦୧୯ ଅକ୍ଟୋବର ୧୩ରୁ ୨୦୨୦ ମାର୍ଚ୍ଚ ୨୦ ତାରିଖ କଥା ହୋଇଛନ୍ତି । ଉତ୍ତର ପ୍ରଦେଶ ପୋଲିସ ଅନୁସାରେ ପୀଡ଼ିତାଙ୍କ ଭାଇଙ୍କ ମୋବାଇଲରୁ ସନ୍ଦୀପଙ୍କ ମୋବାଇଲକୁ ୬୨ ଥର କଲ ଯାଇଛି ଓ ସନ୍ଦୀପ ୪୨ ଥର କଲ କରିଛି । ଅର୍ଥାତ ଉଭୟଙ୍କ ମଧ୍ୟରେ ୧୦୪ ଥର କଥା ହୋଇଛି । ଏସଆଇଟି ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦାଖଲ କରିବ । କିନ୍ତୁ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି । ଅନ୍ୟପଟରେ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିଛନ୍ତି, ତଦନ୍ତ ନିଜ ନିର୍ଦ୍ଦେଶରେ କରାନ୍ତୁ ।