ଭୁବନେଶ୍ୱର, ୭/୧୦ : ଆସନ୍ତାକାଲିଠାରୁ ରାଜ୍ୟର ୧୫ଟି ଆରଟିଓରେ ନୂଆ ଡିଏଲ୍ ପାଇଁ ଆବେଦନ ଗ୍ରହଣ କରାଯିବ। ଏନେଇ ପରିବହନ କମିଶନର ସଞ୍ଜୀବ ପଣ୍ଡା ଆଜି ନିର୍ଦେଶନାମା ଜାରି କରିଛନ୍ତି। ହସ୍ତଗତ ସୂଚନା ଅନୁସାରେ ଚଣ୍ଡିଖୋଲ, ବଡ଼ବିଲ୍, କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା ଆରଟିଓରେ ଚଳିତ ମାସ ୮ ତାରିଖରୁ ନୂଆ ଡିଏଲ୍ ପାଇଁ ଆବେଦନ ଗ୍ରହଣ କରାଯିବ। ସେହିପରି ଅନୁଗୋଳ, ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେବଗଡ଼, ମାଲକାନଗିରି ଓ ଭଞ୍ଜନଗର ଆରଟିଓରେ ମଧ୍ୟ ଆବେଦନ ଗ୍ରହଣ କରିବା ପାଇଁ ପରିବହନ କମିଶନର ସମ୍ପୃକ୍ତ ଆରଟିଓଙ୍କୁ ନିର୍ଦେଶ ଦେଇଛନ୍ତି। ଏବେ ସମ୍ପୃକ୍ତ ଆରଟିରେ ଅଧିକ ସଂଖ୍ୟକ ପୁରୁଣା ଆବେଦନ ନଥିବାରୁ ନୂଆ ଆବେଦନ ଗ୍ରହଣ କରିବା ପାଇଁ କୁହାଯାଇଛି।
କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ଆରଟିଓରେ ନୂଆ ଆବେଦନ ସହିତ ଡିଏଲ୍ ଏବଂ ଏଲ୍ଏଲ୍ ଟେଷ୍ଟ ବନ୍ଦ ରହିଥିଲା। ତେବେ ଗତ ମାସ ୧୮ ତାରିଖରୁ ପୁଣି ଥରେ ଡିଏଲ୍ ଟେଷ୍ଟ ଆରମ୍ଭ ହୋଇଛି। ଦୈନିକ ୪୦ ପ୍ରତିଶତ ସ୍ଲଟ୍ ସହିତ ଡିଏଲ୍ ପାଇଁ ପରୀକ୍ଷା ହେଉଛି। ତେବେ ଡିଏଲ୍ ସ୍ଲଟ୍ ବୁକିଂ ସ୍ଥିତି ଅନୁଧ୍ୟାନ କରିବା ପରେ ଉପରୋକ୍ତ ଆରଟିଓରେ ସ୍ଲଟ୍ ବୁକିଂ କମୁଥିବା ଦେଖାଯାଇ ଥିଲା। ଫଳରେ ଆସନ୍ତା ୮ ତାରିଖରୁ ନୂଆ ଡିଏଲ୍ ପାଇଁ ଆବେଦନ ଗ୍ରହଣ କରିବା ପାଇଁ ଅନୁମତି ଦିଆଯାଇଛି।