ପାଟନା : ୭/୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନର ନାମାଙ୍କନ ଦାଖଲ ବେଳେ ପାଲିଗଞ୍ଜ ବିଧାନସଭାରୁ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି।
ପାଟନାର ପାଲିଗଞ୍ଜ ବିଧାନସଭାରୁ ପିପୁଲ୍ସ ପାର୍ଟି ଅଫ୍ ଇଣ୍ଡିଆ ଡେମୋକ୍ରେଟିକର ଆଶାୟୀ ପ୍ରାର୍ଥୀ ରବୀନ୍ଦ୍ର ପ୍ରସାଦ ମଇଁଷି ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଆସିଛନ୍ତି। ଏବେ ଏହା ପାଲିଗଞ୍ଜ ବିଧାନସଭା ଇଲାକା ଲୋକଙ୍କ ପାଇଁ ଚର୍ଚାର ବିଷୟ ହୋଇଛି।
ବିଧାନସଭା ନିର୍ବାଚନ ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ। ତେବେ ତାଙ୍କ ନାମାଙ୍କନ ଦାଖଲ ଷ୍ଟାଇଲ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ଚଷା ପୁଅ ହୋଇଥିବାରୁ ଏମିତି କରିଥିବା କହିଛନ୍ତି। ଗରିବଙ୍କ ସେବାରେ ମଇଦାନକୁ ଓହ୍ଲାଇ ଭାଗ୍ୟ ପରୀକ୍ଷା କରିବାକୁ ସେ ଚାହିଁଛନ୍ତି। ଏହା ସହ ସେ ପଶୁ ପ୍ରେମୀ ବୋଲି ନିଜକୁ କହିଛନ୍ତି।
ସୂଚନାଯୋଗ୍ୟ ବିହାରରେ ବିଧାନସଭା ବିଗୁଲ ବାଜିଛି। ବିହାରରେ ତିନି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯାୟ ଅକ୍ଟୋବର ୨୮, ଦ୍ବିତୀୟ ନଭେମ୍ବର ୩ ଓ ତୃତୀୟ ପର୍ଯ୍ୟାୟ ନଭେମ୍ବର ୭ରେ ଅନୁଷ୍ଠିତ ହେବ। ଏହାର ଫଳାଫଳ ନଭେମ୍ବର ୧୦ରେ ପ୍ରକାଶ ପାଇବ।