ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ଅଶ୍ଵିନୀ କୁମାରଙ୍କ ଆତ୍ମହତ୍ୟା, ସିବିଆଇର ନିର୍ଦ୍ଦେଶକ ଭାବେ କରିଥିଲେ କାର୍ଯ୍ୟ

ନୂଆଦିଲ୍ଲୀ, ୭/୧୦ : ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଅଶ୍ଵିନୀ କୁମାର ଶିମଲାସ୍ଥିତ ତାଙ୍କ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂତ୍ର ଅନୁଯାୟୀ, ତାଙ୍କ ମୃତଦେହ ବାସଭବନରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ପୂର୍ବତନ ଆଇପିଏସ୍ ଅଧିକାରୀ କାହିଁକି ଏହି ଭୟାନକ ପଦକ୍ଷେପ ନେଇଛନ୍ତି ତାହାର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ ଏସପି ଶିମଲା ମୋହିତ ଚାୱଲାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ଘଟଣାର ତଦନ୍ତ କରୁଛନ୍ତି। ପୋଲିସ ଘଟଣାସ୍ଥଳରୁ ଆତ୍ମହତ୍ୟା ନୋଟ ମଧ୍ୟ ଜବତ କରିଛି। ଯେଉଁଥିରେ ସେ ଲେଖିଛନ୍ତି ଯେ, ଜୀବନରେ ସନ୍ତୁଷ୍ଟ ହୋଇ ମୁଁ ପରବର୍ତ୍ତୀ ଯାତ୍ରା ପାଇଁ ଯାଉଛି | ଆତ୍ମହତ୍ୟା ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

୭୦ ବର୍ଷିୟ ଅଶ୍ଵିନୀ କୁମାର ଜଣେ ଆଇପିଏସ୍ ଅଧିକାରୀ ଥିଲେ ଏବଂ ସିବିଆଇ ଓ ଏସପିଜିରେ ବିଭିନ୍ନ ପଦବୀରେ ରହିଥିଲେ। ଅଗଷ୍ଟ ୨୦୦୮ରୁ ନଭେମ୍ବର ୨୦୧୦ ମଧ୍ୟରେ ସେ ସିବିଆଇର ନିର୍ଦ୍ଦେଶକ ଥିଲେ। ପରେ ସେ ନାଗାଲାଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ତେବେ ୨୦୧୪ ମସିହାରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ସେ ଶିମଲାର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଭିସି ମଧ୍ୟ ଥିଲେ।