ମୁମ୍ବାଇ, ୧୨/୧୦: ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କର ବିବାହ କରିବେ । ପଟିଆଲାରେ ରହୁଥିବା ଗାୟକ ରୋହନପ୍ରିତ ସିଂହଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଛି । ଅକ୍ଟୋବର ୨୪ରେ ଉଭୟ ବିବାହ ପାଇଁ ତାରିଖ ସ୍ଥିର କରିଥିବା ଜଣାପଡିଛି । ନିକଟରେ ଉଭୟଙ୍କ ରୋକା ସେରିମନୀ ବା ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଉଭୟଙ୍କ ମଧ୍ୟରେ ଡାଏମଣ୍ଡ ଦା ଛଲ୍ଲାର ଶୁଟିଂ ସେଟରେ ପ୍ରଥମ ସାକ୍ଷାତ ହୋଇଥିଲା । ଏହାପରେ ଉଭୟ ବିବାହ କରିବା ପାଇଁ ମନସ୍ଥ କରିଥିଲେ । ଉଭୟ ନେହା ଓ ରୋହନପ୍ରିତ ଔପଚାରିକ ଭାବେ ବିବାହ ତାରିଖ ଘୋଷଣା କରି ନାହାଁନ୍ତି । କିନ୍ତୁ ନେହା ଯେପରି ଭାବେ ରୋହନପ୍ରିତଙ୍କୁ ତୁମେ ମୋର କରି ସମ୍ବୋଧିତ କରିଥିଲେ, ଏହି କଥାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜଣାପଡୁଛି । ସୋସିଆଲ ମିଡିଆରେ ଉଭୟଙ୍କ ଯୋଡିକୁ ପ୍ରଶଂସକମାନେ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି । ଏହାସହ ଶୁଭକାମନା ମଧ୍ୟ ଜଣାଇଛନ୍ତି ।