ଡିପ୍ ଡିପ୍ରେସନରେ ପରିଣତ ହେଲା ଲଘୁଚାପ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା !

ଭୁବନେଶ୍ୱର, ୧୩/୧୦: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଆଜି ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଫଳରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ମଧ୍ୟ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ। ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଓଡ଼ିଶା ଉପକୂଳରେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ସମେତ ଓଡ଼ିଶାର ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।

ବିଶେଷ କରି ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। । ଗତକାଲି ଛତ୍ରପୁରରେ ୫୨ ମିଲିମିଟର, ପାରଳାଖେମୁଣ୍ଡିରେ ୪୫ ମିମି, ଗୋପାଳପୁରରେ ୩୪ ମିମି ବର୍ଷା ହୋଇଥିଲା । ରାତିରେ ବର୍ଷା ଆହୁରି ବଢ଼ିଥିବା ଜଣାପଡ଼ିଛି । ବୁଧବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନାହିଁ ।