ଭୁବନେଶ୍ୱର,୧୩ /୧୦ – (ପ୍ରଦୀପ୍ତ କୁମାର ଦାସ ) : ଭୁବନେଶ୍ୱର ସ୍ମାର୍ଟ ସିଟି ମାନ୍ୟତା ପାଇବାର ଚାରି ବର୍ଷ ବିତିଗଲାଣି,ହେଲେ ବହୁ ଆଡ଼ମ୍ବରେ ଲଘୁକ୍ରିୟା ଭଳି ସହରର କିଛି ସ୍ଥାନରେ ଏବେ ଏପରି କେତେକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ଯାହା ଏହାକୁ ବେଶ ବିଦ୍ରୁପ କରୁଛି । ଏହି କ୍ରମରେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ ତଥା ବିଏସସିଏଲ ଓ ବିଏମସି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି । ତେବେ ଏହି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଷ୍ଟ୍ରିଟଲାଇଟ ସେବା କ୍ଷେତ୍ରରେ କିଛି ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଓ ତ୍ରୁଟି ଯୋଗୁଁ ଲୋକଙ୍କ ପାଇଁ ତାହା ମରଣଯନ୍ତାରେ ପରିଣତ ହୋଇଛି । ଆବଶ୍ୟକ ଯତ୍ନର ଘୋର ଅଭାବ କାରଣରୁ ସ୍ଥାନୀୟ ସତ୍ୟନଗର ଫ୍ଲାଇ ଓଭରବ୍ରିଜ ବାଡ଼ରେ ସ୍ଥାପନ ହୋଇଥିବା କିଛି ସ୍ଥାନରେ କେତେକ ଷ୍ଟ୍ରିଟଲାଇଟ ପୋଲ ଦୀର୍ଘଦିନ ହେଲା ମରଣଯନ୍ତା ପାଲଟିଛି । ଉକ୍ତ ବ୍ରିଜର ଜରାଜୀର୍ଣ୍ଣ ବାଡ଼ରେ ନାମକୁ ମାତ୍ର ସେଗୁଡିକ ଲାଗିରହିବା ସହ ରାସ୍ତାଆଡକୁ ବିପଦ ସଂଙ୍କୁଳ ଅବସ୍ଥାରେ ଢଳି ରହିଛି ।


ତାହାପୁଣି ବାଡ଼ରେ କିଛି କେବୁଲ ତାରରେ ବନ୍ଧା ହୋଇ ଅଣନିରାପଦ ହୋଇ ରହିଛି । ଆଉ କିଛିପୋଲର ପୋତାଯାଇଥିବା ମୂଳଅଂଶ ବ୍ରିଜବାଡର କଂକ୍ରିଟ ଫାଟି ଆଁ କରି ରାସ୍ତା ପାର୍ଶ୍ୱକୁ ଢଳିରହିଛି । ଉକ୍ତ ପୋଲ ଗୁଡିକ ସେଠାରେ ଅତି ବିପଦସଂକୁଳ ଅବସ୍ଥାରେ ଥିବାରୁ କେତେବେଳେଯେ ଏହା ହଠାତ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଉପରେ ପଡି ବ୍ୟାପକ ଧନଜୀବନ ହାନି କରିବ ତାହା କହିହେବନି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥାଯେ ଉପରୋକ୍ତ ଦୁଇ ବିଭାଗର ଏଥିପ୍ରତି ଆଦୌ ନିଘାନାହିଁ । କାରଣ ଜନସାଧାରଣଙ୍କ ପକ୍ଷରୁ ଏନେଇ ଉକ୍ତ ଦୁଇଟି ବିଭାଗରେ ତୁରନ୍ତ ଏହାର ଆଶୁ ପ୍ରତିକାର କରିବା ପାଇଁ ବାରମ୍ବାର ଅଭିଯୋଗ ହେବା ସତ୍ୱେ ସମ୍ପୃକ୍ତ ଦୁଇ ବିଭାଗ ନିଦାବିଷ୍ଣୁ ପାଲଟିଛନ୍ତି । ଫଳରେ ସାଧାରଣରେ ଏନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ସଚେତନ ନାଗରିକ ମହଲରେ ଦାବୀ ହୋଇଛି ।