ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ ମିରିଗା ଛକ ନିକଟରେ ପୁଲିସ ଚଢ଼ାଉ କରି ବେଆଇନ ଚାଲାଣ ହେଉଥିବା ୧ କୁଇଣ୍ଟାଲ୍ ୭୪୦ ଗ୍ରାମ ଗଂଜେଇ ଜବତ କରିଛି। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲାର ନଖରା ଗ୍ରାମର ମୋହନ ପତ୍ର (୨୩) ଓ ଅନୁଗୁଳ ଜିଲ୍ଲାର ରେଙ୍ଗାଳି ଡ୍ୟାମ୍ସାହିର ପ୍ରତାପ କୁମାର ବିଶ୍ୱାଳ (୨୫)। ଅଭିଯୁକ୍ତମାନେ କୋର୍ଟ ଚାଲଣ ହୋଇଛନ୍ତି।
ସୂଚନା ଅନୂଯାୟୀ ଏକ ଗଂଜେଇ ବୋଝେଇ କାର ବ୍ରହ୍ମପୁରରୁ ବାସୁଦେବପୁର ବ୍ଲକ ରୋଡ ଦେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା। ପୁଲିସ ଖବର ପାଇ ଗାଡିଟିକୁ ଜବତ କରିବା ସହ ଏଥିରେ ଥିବା ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଂଜେଇ ଜବତ କରିଥିଲା। ବେଆଇନ ଗଂଜେଇ କାରବାର ସହ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ ବାସୁଦେବପୁର ପୁଲିସ ଗିରଫ କରିବା ସହ ଥାନାରେ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କ ଠାରୁ ଏକ ହୁଣ୍ଡାଇ କାର (ଓଡି ୦୨ବିଏ- ୫୮୩୧) ଜବତ କରିଛି। ଦୁଇ ଗଂଜେଇ ମାଫିଆ ଭଦ୍ରକରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଲିସ ହାତରେ ଧାରା ପଡିଯାଇଥିଲେ।