ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଲେ ଯୋଗଗୁରୁ ରାମଦେବ, ଭାଇରାଲ ହେଲା ଭିଡ଼ିଓ

ମଥୁରା: ଯୋଗ ଗୁରୁ ବାବା ରାମଦେବ ହାତୀ ଉପରେ ବସି ଯୋଗ ଅଭ୍ୟାସ କରିବା ​‌ବେଳେ ତଳେ ପଡ଼ି ଯାଇଛନ୍ତି। ରାମଦେବ ହାତୀ ଉପରୁ ଖସିପଡ଼ୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଭିଡିଓଟି ମଥୁରାର ରମଣରେତି ଆଶ୍ରମର ବୋଲି ଜଣାଯାଇଛି। ଏଠାରେ ବାବା ସନ୍ଥଙ୍କୁ ଯୋଗ ଅଭ୍ୟାସ ଶିଖାଉଥିଲେ। ରାମଦେବ ବାବା ଯୋଗ ଶିଖାଉଥିବା ସମୟରେ ଆଶ୍ରମର ଗୁରୁ ଶରଣାନନ୍ଦ ମହାରାଜ ମଧ୍ୟ ଉପସ୍ଥିତ ଥିଲେ। ସେ ବି ମଞ୍ଚ ଉପରେ ଯୋଗ କରିଥିଲେ।

ତେବେ ଭାଇରାଲ ହୋଇଥିବା ୨୨ ସେକେଣ୍ଡ ଭିଡିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାର ଦେଖିବାକୁ ମିଳିୁଛି। ଯୋଗ କରିବାରେ ରାମଦେବ ମଜ୍ଜି ଯାଇଥିବା ବେଳେ ହଠାତ ହାତୀଟି ହଲଚଲ ହୋଇଥିଲା । ଫଳରେ ରାମଦେବ ନିଜ ଉପରେ ଭାରସାମ୍ୟ ରକ୍ଷା କରି ନପାରି କେହି କିଛି ବୁଝିବା ପୂର୍ବରୁ ହାତୀ ଉପରୁ ତଳକୁ ଖସି ପଡ଼ିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେ ତଳେ ପଡ଼ିଯିବା ସତ୍ତ୍ବେ ସଙ୍ଗେସଙ୍ଗେ ଛିଡ଼ା ହୋଇ ଆଗକୁ ଚାଲିଚାଲି ଯାଇଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ ରାମଦେବଙ୍କୁ କୌଣସି ପ୍ରକାର ଆଘାତ ଲାଗି ନଥିବା ଜଣାପଡଡ଼ିଛି ।