୭୫ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୬ /୧୦ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷରେ ପଦାର୍ପଣ କରିଛନ୍ତି । କୋଭିଡ୍‌ ସଂକ୍ରମଣ ଯୋଗୁ ଏଥର ନବୀନ ନିଜ ଜନ୍ମଦିନ ପାଳନ କରିବେ ନାହିଁ । ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ ବୋଲି ନବୀନ କହିଛନ୍ତି । ଗତ ୮ ମାସ ହେଲା ‌କରୋନା ପାଇଁ ସମ‌େସ୍ତ କଠୋର ସମୟ ଦେଇ ଗତି କରୁଛନ୍ତି।

ଆଜି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା‌, ରକ୍ତଦାନ କରିବା ଓ ପ୍ଲାଜ୍‌ମା ଦାନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମନ୍ତ୍ରୀ, ବିଧାୟକ, ଦଳର କର୍ମକର୍ତ୍ତାମାନେ ନବୀନ ନିବାସ ନ ଆସିବାକୁ ଏବଂ କୌଣସି ସ୍ଥାନରେ ଉତ୍ସବ ପାଳନ ନ କରିବାକୁ କୁହାଯାଇଛି।

୨୦୦୦ ମସିହାରେ ଓଡ଼ିଶାର ଶାସନ ଡୋରି ଧରିଲା ପରେ ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବିକଳ୍ପବିହୀନ ନେତାର ମାନ୍ୟତା ପାଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ରାଜନୀତିରେ ପାଦ ‌ରଖିଥିଲେ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ। ଆଉ ଦୁଇ ଦଶନ୍ଧି ପରେ ଏବେ ସେ ଜଣେ ପୋଖତ ରାଜନୀତିଜ୍ଞ। ରାଜନୀତିରେ ପ୍ରବେଶ ପର ଠାରୁ କ୍ଷମତାରେ ରହି ଆସିଛନ୍ତି । ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଓ ପରେ ମୁଖ୍ୟମନ୍ତ୍ରୀ। କେବେ ନିଜ ରାଜନୈତିିକ ଶତ୍ରୁଙ୍କୁ ନିର୍ଦ୍ଦୟ ଭାବେ ଦମନ କରି ସେ ଚର୍ଚ୍ଚାରେ ରହିଛନ୍ତି ତ ଆଉ କେବେ ଭୋଟ୍‌ ରାଜନୀତିରେ ବିପୁଳ ବିଜୟ ହାସଲ କରି ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିଛନ୍ତି।

ସିକିମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍‌ଲିଂ ଓ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ପରେ ନବୀନ ହେଉଛନ୍ତି ଦେଶର ତୃତୀୟ, ଯିଏ କ୍ରମାଗତ ଭାବେ ସର୍ବାଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଅଛନ୍ତି। ଓଡ଼ିଶା ରାଜନୀତିକୁ ପାଖାପାଖି ୨୦ବର୍ଷରୁ ଅଧିକ ସମୟ ଧରି ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣ ଭିତରେ ରଖିଥିବା ନବୀନଙ୍କ ପାଇଁ ଏହି ବର୍ଷଟି ବ୍ୟକ୍ତିଗତ ଭାବେ ଯେତିକି ମହତ୍ତ୍ବପୂର୍ଣ୍ଣ, ରାଜନୈତିକ ଦୃଷ୍ଟିକୋଣରୁ ସେତିକି ଗୁରୁତ୍ବପୂର୍ଣ୍ଣ।