ନୋଏଡା : ଉତ୍ତରପ୍ରଦେଶ ଆକାଶରେ ଏଲିଏନ | ଗ୍ରେଟର ନୋଏଡାରେ ଥିବା ଡାନକୌର ସହର ଆକାଶରେ ଏକ ଅଦ୍ଭୁତ ଜିନିଷ ଉଡ଼ୁଥିବାର ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା | ଏ ସମ୍ପର୍କରେ ସୂଚନା ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକାଶରେ ଉଡୁଥିବା ଏଲିଏନ ଭଳି ଜିନିଷକୁ ଧରିଥିଲା, ଯାହା ପରେ ତାହା ଏଲିଏନ ନୁହେଁ ବରଂ ଆଇରନ ମ୍ୟାନ ଆକୃତିର ବେଲୁନ ବୋଲି ଜଣା ପଡ଼ିଥିଲା |
ପୁଲିସର କହିବା ମୁତାବକ, ଶନିବାର ଦିନ କେହି ଜଣେ ଆଇରନ ମ୍ୟାନ ଭଳି ଦିଶୁଥିବା ବେଲୁନରେ ପବନ ଭରି ଆକାଶରେ ଉଡାଇଦେଇଥିଲା | ବେଲୁନଟି କିଛି ବାଟ ଉଡିବା ପରେ ଏକ କେନାଲ କୂଳରେ ଯାଇ ପଡ଼ିଥିଲା | ବେଲୁନର ଅଧା ଅଂଶ କେନାଲ ପାଣିରେ ବୁଡି ରହିଥିବାରୁ ଏହା ପାଣିର ଲହଡିରେ ହଲିବାକୁ ଲାଗିଥିଲା, ଯାହାକୁ ଦୂରରୁ ସ୍ଥାନୀୟ ଲୋକେ ଦେଖି ଡରି ଯାଇଥିଲେ | ପରେ ପାଖକୁ ଯାଇ ଦେଖିବା ପରେ ତାହା ବେଲୁନ ବୋଲି ଜଣା ପଡ଼ିଥିଲା | ବେଲୁନର ଏଭଳି ଆକୃତି ଦେଖି ନଥିବା ଲୋକେ ଏହାକୁ ଦେଖି ଡରି ଯାଇଥିବା କହିଛି ପୁଲିସ | ତେବେ ଏହାକୁ କିଏ ଉଡ଼ାଇଥିଲା, ସେ ନେଇ ପୁଲିସ ପାଖରେ କୌଣସି ସୂଚନା ନାହିଁ |