ଲଘୁଚାପ : ରାଜ୍ୟରେ ୪ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୯/୧୦ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲାରେ ଆସନ୍ତା ୩ ରୁ ୪ଦିନ ଧରି ବର୍ଷା ଲାଗିରହିବ। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସ୍ଥାନ‌େ ସ୍ଥାନେ ପ୍ରବଳ ଓ ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷିବ। ଏଣୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୯ରୁ ୨୨ ତାରିଖ ଯାଏ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ଚେତାବନୀ ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପରୋକ୍ତ ଅଞ୍ଚଳରେ ଆସନ୍ତା ୨୪ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୩ରୁ ୪ ଦିନ ଦିନ ବର୍ଷା ଲାଗିରହିବ।

ଲଘୁଚାପ ପ୍ରଭାବରେ ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଲଘୁଚାପ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସମସ୍ତ ଜିଲାପାଳଙ୍କ ସହିତ ଜଳସମ୍ପଦ ବିଭାଗର ଯନ୍ତ୍ରୀ ଓ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସୋମବାର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୧ରେ କାକିନଡ଼ା ଓ ମଛଲିପଟନମ ମଧ୍ୟସ୍ଥଳ ଛୁଇଁବା ସହିତ ୨୨ରେ ଓଡ଼ିଶା ଉପକୂଳ ଓ ଆନ୍ଧ୍ର ଉପକୂଳ ନିକଟରେ ବଙ୍ଗୋପସାଗରର ଉତ୍ତର-ଦକ୍ଷିଣ ଦିଗରେ ଗତି କରିବ। ଏହାର ପ୍ରଭାବରେ ରାଜ୍ୟରେ ୨୪ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ ଏବଂ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ।