ଶ୍ରୀନଗର, ୧୯/୧୦ : ପୁଲୱାମା ଜିଲ୍ଲାର ଅବନ୍ତିପୋରାରେ ଆତଙ୍କବାଦୀମାନେ ଜଣେ ୧୪ ବର୍ଷୀୟ ନାବାଳକକୁ ଗୁଳି କରି ହତ୍ୟା ଉଦ୍ୟମ କରିଛନ୍ତି । ଏହି ଘଟଣାରେ ଗୁରୁତର ଆହତ ନାବାଳକକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଆକ୍ରମଣକାରୀଙ୍କୁ ଖୋଜୁଛି । ସେନା ପୋଲିସ ସହିତ ଅବନ୍ତିପୋରାର ବିଭିନ୍ନ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ କରିଦେଇଛି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆତଙ୍କବାଦୀମାନେ ଲେଥପୋରା ଅଂଚଳରେ ନାବାଳକକୁ ଗୁଳିକରିଥିଲେ । ଖୁଶଦିଲ ଗୁଲଜାର ନାମରେ ନାବାଳକ ନିଜ ଘର ସମ୍ମୁଖରେ ଖେଳୁଥିଲା । ଏହି ସମୟରେ କାରରେ ଆସି ଆତଙ୍କବାଦୀମାନେ ତାକୁ ଡାକିଥିଲେ । କିଛି କଥାବାର୍ତ୍ତା ପରେ ସେମାନେ ଗୁଳିମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ନାବାଳକର ହାତରେ ଗୁଳି ବାଜିଥିଲା । ସୂଚନା ମିଳିବା ପରେ ପୋଲିସ ଓ ସିଆରପିଏଫ ଯବାନମାନେ ଘଟଣାସ୍ଥଳକୁ ପହଂଚିଛନ୍ତି ।