ପୁଲ୍‌ୱାମାରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର୍‌; ଦୁଇ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, ୨୦/୧୦ : ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ଆଜି ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ସର୍ଚ ଆଣ୍ଡ୍ କର୍ଡନ୍ ଅଭିଯାନ ଆରମ୍ଭ ହୋଇଥିବା କଥା ପୁଲିସ କହିଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆଜିର ଘଟଣାକୁ ମିଶାଇ ଦୁଇ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରେ ଚାରିଜଣ ଆତଙ୍କବାଦୀ ନିହତ ହେଲେଣି। ଗତକାଲି ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାରେ ଆରମ୍ଭ ହୋଇଥିବା ଗୁଳିବିନିମୟ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଚାଲୁ ରହିଥିଲା। ଉକ୍ତ ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଗୁଳିବିନିମୟ ସ୍ଥଳରୁ ପୁଲିସ ଗୋଟାଏ ଏକେ ରାଇଫଲ୍ ଏବଂ ପିସ୍ତଲ ଉଦ୍ଧାର କରିଥିଲା। ଆତଙ୍କବାଦୀମାନଙ୍କ ଉପସ୍ଥିତ ସୂଚନା ପାଇବା ପରେ ସୋମବାର ଦିନ ଜୈନପୋରାର ମେଲହୁରାରେ ନିରାପତ୍ତା ବଳ କର୍ଡନ୍ ଆଣ୍ଡ୍ ସର୍ଚ ଅଭିଯାନ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।ନିହତ ଆତଙ୍କବାଦୀମାନଙ୍କର ପରିଚୟ ଓ ସେମାନଙ୍କ ସଙ୍ଗଠନ ଜାଣିବାକୁ ଉଦ୍ୟମ ଚାଲିଛି।