ବିଶୋଇ, ୨୦/୧୦ : ବନବିଭାଗ ଦ୍ୱାରା କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଉକ୍ତ ଘଟଣାରେ ୫ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ପ୍ରାୟ ଦିନ ୧୧ ଘଟିକା ସମୟରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ଜର ବିଶୋଇ ସ୍ଥିତ ଖଜୁରିକଟାସ ଗ୍ରାମ ନିକଟରେ ଏକ କଲରାପତରିଆ ବାଘ ଚମଡା ବିକ୍ରି ନିମନ୍ତେ ମସୁଧା ଚାଲିଥିବା ବନବିଭାଗ ବିଶେଷ ସୁତ୍ରରୁ ସୂଚନା ପାଇଥିଲା । ଏହାପରେ ଡିଏଫଓ ଅରୁଣ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ବୈଦ୍ୟନାଥ ମାଝୀ,ଏସିଏଫ ନବୀନ ଚନ୍ଦ୍ର ନାୟକ ସମେତ ରାଇରଙ୍ଗପୁର ବନଖଣ୍ଡର କର୍ମଚାରୀ ପ୍ରମୁଖ ଟ୍ରାକିଂ କରି ଏକ ସ୍ୱତନ୍ତ୍ର ଟିମ ସହିତ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ ।
ଘଟଣା ସ୍ଥଳରୁ ସେମାନେ ଏକ କଲରାପତରିଆ ବାଘ ଚମଡ଼ା ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ବିଶୋଇ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ବାଇନାଥ ହେମ୍ବ୍ରମ (୨୫), ଜାମଦା ଥାନାର ତୁଶୀଲ ମୁର୍ମୁ (୪୨), ଚାନ୍ଦୁଆ ଥାନାର ହାମ୍ବିର ଟୁଡୁ (୧୮), ବିଶୋଇ ଥାନାର ସନତ ମାର୍ଣ୍ଡି (୪୫), କୁଳିଅଣା ଥାନାର ଖେଲାରାମ ହାଁସଦା (୨୧) ପ୍ରମୁଖ ୫ ଜଣ ଯୁବକଙ୍କୁ ଗିରଫ କରିଥିଲେ । ଏହା ସହିତ ସେମାନଙ୍କ ପାଖରେ ଥିବା ଗୋଟିଏ ହୋଣ୍ଡା ସାଇନ ବାଇକ (ଓଡି ୧୧ ଭି ୨୦୭୯) ଓ ଗୋଟିଏ ଟିଭିଏସ ବାଇକ (ଓଡି ୧୧କ୍ୟୁ ୭୧୬୧)କୁ ଜବତ କରିଥିଲେ ।