ନିଷ୍ପାପ ଶିଶୁ କନ୍ୟାକୁ ମାରି ଗିରଫ ହେଲା କକା

ମହାକାଳପଡ଼ା, ୨୧ /୧୦- (କେଶବ ଚନ୍ଦ୍ର ନାଥ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅଧିନସ୍ଥ ବାଙ୍କିଛନ୍ଦା ଗାଁରେ ରବିବାର ୧୮ତାରିଖ ଦିନ କକାର ଶକ୍ତ ଚାପୁଡାରେ କୁନି ଝିଆରୀ ମଧୁସ୍ମିତା ମୃତ୍ୟୁ ଘଟିଥିଲା । ମା ଓ ବାପାଙ୍କ ଅନୁପସ୍ଥିତି ସୁଯୋଗ ଉଣ୍ଡି କକା ଅଧିକାରୀ ବେହେରା ଝିଆରୀକୁ ତରବରିଆ ଭାବେ ପାଖ ଧାନ ବିଲରେ ପୋତି ଦେଇଥିଲେ । ପରବର୍ତ୍ତୀ ସମୟରେ ପରିବାର ଲୋକେ ଖୋଜା ଖୋଜି କରି ଘର ଠାରୁ ୨୦୦ ମିଟର ଦୂରରେ ୪ବର୍ଷ କୁନି ଝିଅର ସଦ୍ୟ ଶବ ପାଇଥିଲେ । ଖେଳାବୁଲା କରୁଥିବା ଝିଅର ମୃତ୍ୟକୁ ନେଇ ବାପା ଦୈତାରୀ ବେହରାଙ୍କ ପତ୍ନୀ ଲଷ୍ମୀପ୍ରିୟା ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ । ମହାକାଳପଡ଼ା ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣା ଦିନ ବାଙ୍କିଛନ୍ଦା ଯାଇ ସବିଶେଷ ଅନୁସନ୍ଧାନ କରିବା ସହିତ ଝିଅର ବାପା, କକା ଉଭୟ ପରିବାରକୁ ଡକାଇ ତଦନ୍ତ ଆରମ୍ଭ କରିଥିଲା । ଅନୁସନ୍ଧାନରୁ କକା ସନ୍ଦେହ ଘେରକୁ ଆସିବାରୁ ଥାନାରେ ଅଟକ ରହିବାପରେ ମୃତ୍ୟୁର ରହସ୍ୟ ଜଣା ପଡିଥିଲା । କକାର ବୟାନ ମୁତାବକ ଖାଇବା ସମୟରେ ଘର ଭିତରେ ଖେଳୁଥିବା ଝିଆରୀ ତାଙ୍କ ଖାଇବା କଂସାରେ ଗୋଡ଼ ପଡିଯିବାରୁ ଖାଦ୍ୟ ନଷ୍ଟ କରିଦେବା ରାଗରେ ଝିଆରୀକୁ ଶକ୍ତ ଚାପୁଡ଼ା ମାରିଥିଲେ । ଯାହାକି ବେଲକ୍ଷ୍ୟରେ ମୃତଶିଶୁଟିର କାନମୁଳରେ ବାଜିବାରୁ ହଠାତ ଝିଆରୀ ବୁଲି କଚାଡି ହୋଇ ପଡିଥିଲା । ଏପରିକି ଘଟଣା ସ୍ଥଳରେ ମୃତ୍ୟୁ ହେବାରୁ ତରବରିଆ ଭାବେ କକା ଧାନ ବିଲରେ ପୋତି ଅଜଣା ଭାବେ ଚୁପ ରହିଥିଲେ। କକାର ଅମାନୁଷିକ କାର୍ଯ୍ୟ ସମ୍ପାଦନର ସବିଶେଷ ଡେମୋ ପାଇଁ ମଙ୍ଗଳବାର ଦିନ ଅଟକ ଅଧିକାରୀଙ୍କୁ ସାଥିରେ ଧରି ମହାକାଳପଡ଼ା ପୋଲିସ ଓ ଏସଡିପିଓ କେନ୍ଦ୍ରାପଡା ଗାଁରେ ପହଂଚି ଡେମୋକୁ ଅନୁଧ୍ୟାନ କରି ଫେରିଛନ୍ତି । ମୃତ ଶିଶୁ କନ୍ୟାର ମାଙ୍କ ଅଭିଯୋଗ ମୁତାବକ ପୋଲିସ ୧୩୨/୨୦ ମାମଲା ରୁଜୁ କରିବା ସହିତ ଅଧିକାରୀଙ୍କୁ ଗିରଫ କରିଛି । ବୁଧବାର ଦିନ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଉଲ୍ଲେଖ ଥାଉକି ୮ ତାରିଖ ଦିନ ବାଙ୍କିଛନ୍ଦା ବେହେରା ସାହି ଚୋରାମଦ ବେପାରୀଙ୍କୁ ଧରିବାକୁ ଆସିଥିବା ଅବକାରୀ ଟିମକୁ କକାର ଚୋରା ମଦ ଭାଟି ଠାବ କରିବାରେ କିଂଚିତ ସହଯୋଗ କରିଥିଲା । ଯାହା ନେଇ କ୍ଷୁବଦ କକା ଅବକାରୀ ମାମଲାରେ ଗିରଫ ହୋଇ ବହୁଖର୍ଚ୍ଚାନ୍ତ ହେବାରୁ ଝିଆରୀ ଉପରେ କ୍ରୋଧାନ୍ୱିତ ଥିଲେ । ଏହିଭାବେ ୧୮ତାରିଖ ଦିନ ଝିଆରୀର ସାମାନ୍ୟ ଭୁଲ ପାଇଁ କ୍ରୋଧାନ୍ୱିତ କକା ଶକ୍ତ ଚାପୁଡ଼ା ମାରି ଅଡୁଆରେ ଫସିଯାଇଛନ୍ତି ।