ଦୁବାଇ : ଆଇପିଏଲର ୧୩ ତମ ସିଜନରେ ଚେନ୍ନଇ ସୁପର କିଙ୍ଗ୍ସକୁ ଲାଗିଛି ଆଉ ଏକ ବଡ ଝଟକା। ଦଳର ଅଲରାଉଣ୍ଡର ଡ୍ଵେନ ବ୍ରାଭୋ ମଧ୍ୟ ଆଘାତଜନିତ ସମସ୍ୟା କାରଣରୁ ଲିଗ୍ ଛାଡିଛନ୍ତି। ୧୭ ଅକ୍ଟୋବରରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସେ ଆଘାତ ପାଇ ଚାଲିଆସିଥିଲେ | ଏହା ପରେ ସେ ଫିଲଡକୁ ଫେରିନଥିଲେ।
ବ୍ରାଭୋ ଆଘାତଜନିତ ସମସ୍ୟା କାରଣରୁ ଆଇପିଏଲରୁ ବାଦ୍ ପଡିଥିବା ନେଇ ଦଳର ସିଇଓ କାଶୀ ବିଶ୍ଵନାଥନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶାରଜାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଆହତ ହୋଇଥିବା ବ୍ରାଭୋ ଚଳିତ ସିଜିନ୍ରୁ ବାଦ୍ ପଡିଛନ୍ତି। ଆହତ କାରଣରୁ ବ୍ରାଭୋ ସ୍ଵଦେଶ ଫେରି ଯାଉଛନ୍ତି। ବ୍ରାଭୋ ଆଗାମୀ ମ୍ୟାଚ୍ରେ ଚେନ୍ନଇ ସୁପର କିଙ୍ଗ୍ସ ଦଳରେ ସାମିଲ ହୋଇ ପାରିବେ ନାହିଁ। ଚଳିତ ଆଇପିଏଲରେ ବ୍ରାଭୋ ୬ ଟି ମ୍ୟାଚ୍ ଖେଳି ଦୁଇଟି ଇନିଂସରେ ମାତ୍ର ସାତ ରନ୍ ସ୍କୋର କରିଥିଲେ। ତେବେ ସେ ୮.୫୭ ଇକୋନୋମୀରେ ବୋଲିଂ କରି ୬ ଟି ୱିକେଟ ହାସଲ କରିଛନ୍ତି। ଚଳିତ ଆଇପିଏଲରେ ସଙ୍କଟ ସ୍ଥିତିରେ ଥିବା ଚେନ୍ନଇ ସୁପର କିଙ୍ଗ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଟି ମ୍ୟାଚ ଖେଳି ୭ ଟିରେ ପରାଜୟ ସହ ପ୍ଲେଅଫ୍ ଦୌଡରୁ ପ୍ରାୟତଃ ବାଦ୍ ପଡି ସାରିଛି।