ଜାମ୍ମୁ କାଶ୍ମୀରରେ ପଞ୍ଚାୟତିରାଜ ଆଇନକୁ କ୍ୟାବିନେଟ ଅନୁମୋଦନ, ଏବେ ରାଜ୍ୟରେ ହେବ ପଞ୍ଚାୟତସ୍ତରୀୟ ନିର୍ବାଚନ

ନୂଆଦିଲ୍ଲୀ, ୨୧/୧୦ : ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଜାମ୍ମୁ-କାଶ୍ମୀରରେ ଜିଲ୍ଲା ପଞ୍ଚାୟତ ନିର୍ବାଚନ କରାଇବାକୁ ମଞ୍ଜୁରୀ ମିଳିଛି। ଏବେ ରାଜ୍ୟରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନ ହୋଇ ପାରିବ। କେନ୍ଦ୍ରମନ୍ତ୍ରୀ ଜାଭଡେକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଲୋକମାନେ ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟାରେ ସେମାନଙ୍କର ପ୍ରତିନିଧି ଚୟନ କରିପାରିବେ।

ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ସେଠାରେ ଦେଶର ଅନେକ ବିକାଶମୂଳକ ଆଇନ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଛି। ଗତ ସପ୍ତାହରେ ଜାମ୍ମୁ କାଶ୍ମୀରରେ ତ୍ରି-ସ୍ତରୀୟ ପଞ୍ଚାୟତ ସମିତି ଆଇନ ମଧ୍ୟ ଲାଗୁ ହୋଇଥିଲା। ଏହା କାଶ୍ମୀର ଉପରେ ଏକ ଅନ୍ୟାୟ ଥିଲା ଏବଂ ଅନେକ ଜନ କଲ୍ୟାଣ ନିୟମ ସେଠାରେ କାର୍ଯ୍ୟକାରୀ ହେଉ ନ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି। ଆଜିର କ୍ୟାବିନେଟ ନିଷ୍ପତ୍ତି ପରେ ପୂର୍ବ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଏହି ଆଇନର କାର୍ଯ୍ୟକାରିତା କେନ୍ଦ୍ରଶାସିତ ଅଞ୍ଚଳରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ କରିବ। ଲୋକମାନଙ୍କ ହାତକୁ କ୍ଷମତା ଆସିବ। ଜାଭଡେକର ଆଶା କରିଛନ୍ତି ଯେ ଜାମ୍ମୁ କାଶ୍ମୀରର ଲୋକମାନେ ଏହି ପରିବର୍ତ୍ତନକୁ ସ୍ୱାଗତ କରିବେ।