କ୍ୟାନ୍ସରକୁ ହରାଇଲେ ସଞ୍ଜୟ ଦତ୍ତ, ସୁସ୍ଥ ହେବା ପରେ ଟୁଇଟ କରି ଦେଲେ ସୂଚନା

ନୂଆଦିଲ୍ଲୀ, ୨୧/୧୦: ଜିତିଲେ ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ, ହାରିଲା କର୍କଟ। କିଛି ମାସ ତଳେ ସେ ଫୁସଫୁସ କର୍କଟ ରୋଗରେ ପୀଡିତ ଥିବା ନେଇ ଖବର ଆସିଥିବା ବେଳେ ଏବେ ସେ କର୍କଟ ରୋଗ ସହ ଲଢେଇ କରି ଜିତିଥିବା ଜଣା ପଡିଛି। ସଞ୍ଜୟ ଦତ୍ତ ସୁସ୍ଥ ହୋଇଥିବାର ସୂଚନା ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଶଂସକଙ୍କୁ ଦେଇଛନ୍ତି।

ସଞ୍ଜୟ ଦତ୍ତ ଲେଖିଛନ୍ତି ଗତ କିଛି ସପ୍ତାହ ମୋ ପରିବାର ପାଇଁ ସବୁଠୁ କଠିନକର ସମୟ ଥିଲା। ହେଲେ ଭଗବାନ କଠିନ ଲଢେଇ ପାଇଁ ସବୁଠୁ ମଜବୁତ ସୈନିକଙ୍କୁ ହିଁ ଚୟନ କରିଥାନ୍ତି। ଆଜି ମୋ ପିଲାଙ୍କର ଜନ୍ମଦିନ ଅବସରରେ ମୁଁ ଏହି ଲଢେଇକୁ ଜିତି ଫେରିଛି। ପରିବାର ପାଇଁ ଏହା ସବୁଠୁ ଭଲ ଉପହାର।

ସଞ୍ଜୟ ଏହା ମଧ୍ୟ ଲେଖିଛନ୍ତି ଆପଣ ସମସ୍ତଙ୍କ ବିନା ଆଶୀର୍ବାଦରେ ମୁଁ ଏହି ଲଢେଇ ଜିତି ପାରିନଥାନ୍ତି। ଆପଣମାନେ ମୋତେ ସମର୍ଥନ ଦେଲେ ଏବଂ ସୁସ୍ଥତା କାମନା କଲେ, ସେଥିପାଇଁ ମୁଁ ଆପଣ ସମସ୍ତଙ୍କଠାରେ କୃତଜ୍ଞ। ମୋର ଏହି କଠିନ ସମୟରେ ଛିଡା ହୋଇଥିବା ପରିବାର, ବନ୍ଧୁ ଓ ପ୍ରଶଂସକଙ୍କୁ ମୋର ଧନ୍ୟବାଦ। ମୁଁ ଡାକ୍ଟର ସେବନ୍ତି ଓ ତାଙ୍କ ଦଳ ପ୍ରତି କୃତଜ୍ଞ। କୋକିଲାବେନ ହସ୍ପିଟାଲର ନର୍ସ ଓ ମେଡିକାଲ କର୍ମଚାରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି, ଯେଉଁମାନେ ମୋର ଯତ୍ନ ନେଇଥିଲେ।

ଉଲ୍ଲେଖଯୋଗ୍ୟ, ସଞ୍ଜୟ ଦତ୍ତ ଚତୁର୍ଥ ପର୍ଯ୍ୟାୟ ଫୁସ୍‌ଫୁସ୍‌ କର୍କଟରେ ପୀଡିତ ଥିଲେ। ସେ ଏହାର ସୂଚନା ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଶଂସକଙ୍କୁ ଦେଇଥିଲେ। ସେ ଲେଖିଥିଲେ ବନ୍ଧୁମାନେ ମୁଁ କାମରେ କିଛି ସମୟ ବିରତି ନେଉଛି, କାରଣ ମୋର ଚିକିତ୍ସା ଚାଲିଛି। ମୋ ପରିବାର ଓ ବନ୍ଧୁମାନେ ମୋ ସହିତ ଅଛନ୍ତି। ଆଶା କରୁଛି ଆପଣମାନେ କୌଣସି ଅନୁମାନ ଲଗାଇବେ ନାହିଁ ଏବଂ ଚିନ୍ତିତ ହେବେ ନାହିଁ। ଆପଣଙ୍କ ଭଲପାଇବା ପାଇଁ ମୁଁ ଶୀଘ୍ର ଫେରିବି।