ତାଇୱାନକୁ ୧ ମିଲିୟନ ଡଲାରର ଘାତକ ଅସ୍ତ୍ର ବିକ୍ରି ନେଇ ମଞ୍ଜୁରୀ ଦେଲା ଆମେରିକା, ପଠାଇବ ୧୩୫ ମିସାଇଲ

ୱାଶିଂଟନ, ୨୨/୧୦ : ଚୀନ ବିରୋଧରେ ତାଇୱାନକୁ ଶକ୍ତିଶାଳୀ କରିବା ପାଇଁ ଆମେରିକା ୧୩୫ଟି ମିସାଇଲ ଓ ଏଥି ସହ ସଂପର୍କିତ ଯୁଦ୍ଧ ସାମଗ୍ରୀ ଯୋଗାଇବ । ତାଇୱାନର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ପାଇଁ ଏହି କ୍ଷେପଣାସ୍ତ୍ର ସହିତ ଆନୁଷଙ୍ଗିକ ଯନ୍ତ୍ରପାତି ଏବଂ ତାଲିମ ବିକ୍ରୟ କରିବାକୁ ଆମେରିକା ଘୋଷଣା କରିଛି। ଚୀନ ସହିତ ଉତ୍ତେଜନା ଜାରି ଥିବା ବେଳେ ଆମେରିକୀୟ ପ୍ରଶାସନ ତାଇୱାନକୁ ୧ ମିଲିୟନ ଡଲାର ଅର୍ଥାତ ୭୩୦୦ କୋଟି ଟଙ୍କାର ଘାତକ ଅସ୍ତ୍ର ବିକ୍ରି ନେଇ ମଞ୍ଜୁରୀ ଦେଇଛି । ଆମେରିକାର ଏହି ନିଷ୍ପତ୍ତିରେ ଚୀନ ବିରକ୍ତି ପ୍ରକାଶ କରିପାରେ । କାରଣ ଚୀନ ପୂର୍ବରୁ ବ୍ୟବସାୟ, ତିବତ ଓ ହଙ୍ଗକଙ୍ଗ ପ୍ରସଙ୍ଗରେ ଉଗ୍ର ହୋଇଛି ।

ଏକ ବୟାନରେ କୁହାଯାଇଛି, ଏହି ପ୍ରସ୍ତାବିତ ବୁଝାମଣାରେ ତାଇୱାନକୁ ସୈନ୍ୟ ସନ୍ତୁଳନ ଏବଂ ଆର୍ଥିକ ପ୍ରଗତି ସହିତ ନିଜର ସୁରକ୍ଷାକୁ ଭଲ କରିବା ଏବଂ ରାଜନୈତିକ ସ୍ଥିରତା ଜାରି ରଖିବାରେ ସାହାଯ୍ୟ ମିଳିବ । ଏହା ଦ୍ୱାରା ତାଇୱାନର ଶକ୍ତି ମଧ୍ୟ ବୃଦ୍ଧି ପାଇବ ।