ଲଙ୍କା ପ୍ରିମିୟର ଲିଗରେ କାଣ୍ଡି ଟସ୍କର୍ସ ଦଳକୁ କିଣିଲେ ସଲ୍‌ମାନଙ୍କ ପରିବାର

ମୁମ୍ବଇ : ନଭେମ୍ବର ୨୧ରେ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କାର ପେସାଦାର କ୍ରିକେଟ ଲିଗ୍‌ ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ର କାଣ୍ଡି ଟସ୍କର୍ସ ଦଳକୁ ବଲିଉଡ୍‌ ତାରକା ସଲ୍‌ମାନ ଖାଁଙ୍କ ପରିବାର କିଣିଛନ୍ତି। ସଲ୍‌ମାନଙ୍କ ସାନ ଭାଇ ଅଭିନେତା ସୋହେଲ ଖାଁ ଏବଂ ବାପା ତଥା ବଲିଉଡ୍‌ର ପ୍ରସିଦ୍ଧ ଲେଖକ ସଲିମ ଖାଁ ମଧ୍ୟ ସଲ୍‌ମାନଙ୍କ ସହ କାଣ୍ଡି ଦଳର ମାଲିକାନା ହାସଲ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଅକ୍ଟୋବର ୧୯ରୁ ଆରମ୍ଭ ହୋଇଯାଇଛି । କାଣ୍ଡି ଟସ୍କର୍ସ ଦଳରେ ଶ୍ରୀଲଙ୍କାର ଅଲ୍‌ରାଉଣ୍ଡର କୁଶଳ ପରେରା, ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ, ଇଂଲଣ୍ଡର ଲିଆମ୍‌ ପ୍ଲଙ୍କେଟ୍‌, ପାକିସ୍ତାନର ୱହାବ୍ ରିଆଜ୍, ଆଫ୍‌ଗାନିସ୍ତାନର ନଭିଦ୍ ଉଲ୍‌ ହକ୍, କୁଶଲ ମେଣ୍ଡିସ ପ୍ରମୁଖ ରହିଛନ୍ତି। ସୋହେଲ ଦଳରେ ୟୁନିଭରସିଆଲ୍‌ ବସ୍‌ ଭାବେ ପରିଚିତ କ୍ରିସ୍‌ ଗେଲ୍‌ଙ୍କୁ ନେଇ ବେଶ ଉତ୍ସାହିତ ରହିଛନ୍ତି। ଗେଲଙ୍କୁ ଦଳରେ ସ୍ଥାନ ମିଳିବା ଖୁସିର କଥା ବୋଲି କହିଛନ୍ତି ସୋହେଲ ଖାନ୍ । ଏହାସହ ଏସମସ୍ତ ଖେଳାଳିଙ୍କୁ ନେଇ ଏକ ସନ୍ତୁଳିତ ଟିମ୍ ଗଠନ କରାଯାଇଥିବା ସୋହେଲ କହିଛନ୍ତି । ସ୍ଥାନୀୟ ଖେଳାଳି କୁଶଲ ମେଣ୍ଡିସ୍ ଦଳ ପାଇଁ ବେଶ ଉପଯୋଗୀ ହେବେ। ସୂଚନାଯୋଗ୍ୟ, ଏଲ୍‌ପିଏଲ ଅଗଷ୍ଟରେ ଖେଳାଯିବାର ଥିଲା। କରୋନା ମହାମାରୀ ପାଇଁ ଉକ୍ତ ଲିଗ୍‌କୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି।