ଜୟପୁରରେ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ ‘ନାଗ’ର ସଫଳ ପରୀକ୍ଷଣ

ଜୟପୁର, ୨୨/୧୦ : ପୂର୍ବ ଲଦାଖରେ ସୀମାକୁ ନେଇ ଚୀନ୍‌ ସହିତ ବିବାଦ ଲାଗିରହିଥିବା ବେଳେ ଭାରତ ଆଜି ସକାଳୁ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ବିକଶିତ ସଂଗଠନ(ଡିଆରଡିଓ) ଦ୍ୱାରା ପ୍ରସ୍ତୁତ କରାଯାଇଛି। ନାଗ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲ୍ ଡିଆରଡିଓର ସ୍ୱଦେଶୀ ୱାରହେଡ୍ ତାଲିକାରେ ଯୋଗ ଦେଇଛି। ଗତ ଦେଢ ମାସ ମଧ୍ୟରେ, ଡିଆରଡିଓ ଅତି କମରେ ୧୨ଟି କ୍ଷେପଣାସ୍ତ୍ରର ପରୀକ୍ଷା କରିଛି।

ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି କ୍ଷେପଣାସ୍ତ୍ରଗୁଡିକର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ନିକଟରେ ଡିଆରଡିଓ ମୁଖ୍ୟ କହିଥିଲେ ଯେ, କ୍ଷେପଣାସ୍ତ୍ର କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଡିଆରଡିଓ ସେନା ପାଇଁ ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି।