ଦୁର୍ଗା ପୂଜା ମଣ୍ଡପ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଲେ, ଦୁର୍ଗାପୂଜା ଭାରତର ଏକତା ଓ ଶକ୍ତିର ପ୍ରତିଫଳନ

କୋଲ୍‌କାତା,୨୨/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ଜରିଆରେ ପଶ୍ଚିମବଙ୍ଗର ଦୁର୍ଗା ପୂଜା ମଣ୍ଡପକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଲୋକମାନଙ୍କୁ ଅଭିବାଦନ ଜଣାଇଛନ୍ତି। ବିଜେପି ମହିଳା ମୋର୍ଚ୍ଚା ଉଦ୍ୟମରେ ପୂର୍ବାଞ୍ଚଳ ଜୋନାଲ ସାଂସ୍କୃତିକ କେନ୍ଦ୍ରରେ ଦୁର୍ଗା ପୂଜା ଆୟୋଜିତ ହୋଇଥିଲା। ଏହାକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିସ୍ଥିତି ଯାହା ବି ହେଉ, ଦୁର୍ଗାପୂଜା ଭାରତର ଏକତା ଓ ଶକ୍ତିର ପ୍ରତିଫଳନ, ଦୁର୍ଗା ପୂଜା ସମୟରେ ସମଗ୍ର ଦେଶ ବଙ୍ଗଳା ହୋଇଯାଏ।

ଶ୍ରୀ ମୋଦୀ ସମସ୍ତଙ୍କୁ ଦୁର୍ଗା ପୂଜା ଏବଂ ଆଗାମୀ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଏଥର କରୋନା ମହାମାରୀ ମଧ୍ୟରେ ଦୁର୍ଗା ପୂଜା କରାଯାଉଛି, ତେଣୁ କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଉଚିତ। ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଦୁର୍ଗା ପୂଜାର ମହନୀୟତା ବଜାୟ ରଖି ସଭିଏଁ ଅପାର ନିୟନ୍ତ୍ରଣ ଏବଂ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି।