ପାଟଣା କଂଗ୍ରେସ କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ାଉ, କାରରୁ ୮ ଲକ୍ଷ ଟଙ୍କା ଜବତ

ପାଟନା, ୨୨/୧୦ : ବିହାର ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଥିବାବେଳେ ଆଜି ରାଜଧାନୀ ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି | ଆୟକର ବିଭାଗ ଏଠାରେ ଏକ କାରରେ ଥିବା ୮ ଲକ୍ଷ ଟଙ୍କା ଜବତ କରିଛି । ଏହି ମାମଲାରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏବଂ ବିହାରର କଂଗ୍ରେସ ପ୍ରଭାରୀ ଶକ୍ତି ସିଂ ଗୋହିଲଙ୍କୁ ପଚରାଉଚରା କରାଯାଇଛି। ତେବେ ଏ ନେଇ ଶକ୍ତି ସିଂ ଗୋହିଲ କହିଛନ୍ତି ଯେ ଏହି ଟଙ୍କା କାହାର, ସେ ଜାଣନ୍ତି ନାହିଁ |

ସୂଚନା ଅନୁଯାୟୀ, ପ୍ରାୟ ଏକ ଘଣ୍ଟା ଧରି ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଚାଲିଥିଲା। ଆୟକର ବିଭାଗ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଆୟକର ବିଭାଗ ଏହି ସମଗ୍ର ପ୍ରସଙ୍ଗରେ କଂଗ୍ରେସଠାରୁ ଉତ୍ତର ମାଗିଛି। ଆୟକର ବିଭାଗ ବିହାର କଂଗ୍ରେସକୁ ପ୍ରଶ୍ନ କରିଛି ଯେ ପାଣ୍ଠି କେଉଁଠୁ ଆସିଛି ଏବଂ କେଉଁ ନେତା ଧରାପଡିଥିବା ବ୍ୟକ୍ତିଙ୍କୁ ଟଙ୍କା ଦେଇଛନ୍ତି। ତେବେ ଏହାକୁ ନେଇ ଶକ୍ତି ସିଂ ଗୋହିଲ ଆୟକର ବିଭାଗକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କାର୍ଯ୍ୟାଳୟ ବାହାରେ ଥିବା କାରରୁ ଟଙ୍କା ଜବତ ହେବା ପରେ ଆୟକର ବିଭାଗ ନୋଟିସ ଦେଇଛି। କାର୍ଯ୍ୟାଳୟ ଭିତରେ ଟଙ୍କା ଜବତ କରାଯାଇ ନାହିଁ।