ଖୁବ୍‌ ଶୀଘ୍ର ଓଡିଶାକୁ କରୋନା ଟୀକା: ଆଗେ ଟୀକା ପାଇବେ ସ୍ବାସ୍ଥ୍ୟ ଓ ଅଙ୍ଗନୱାଡ଼ି କର୍ମୀ

ଭୁବନେଶ୍ୱର, ୨୩/୧୦ : ଖୁବ ଶୀଘ୍ର ଓଡ଼ିଶାକୁ ମିଳିବ କରୋନା ଟୀକା। କରୋନା ଟୀକା ଆସିଲେ କେଉଁମାନଙ୍କୁ ପ୍ରାଥମିକତା ଦିଆଯିବ ଏନେଇ ଏକ ଡେଟାବେସ ତିଆରି କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖିଛନ୍ତି । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ ସମ୍ମୁଖ ଯୋଦ୍ଧାଙ୍କୁ ଆଗ ଟୀକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡ଼ୀ କର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟୀକା ଦିଆଯିବ। ରାଜ୍ୟରେ କେତେ ସଂଖ୍ୟ ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟ କରୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରି ଜିଲାପାଳ ଓ ସିଡିଏମ୍‌ଓଙ୍କୁ ଦେବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏସିଏସ୍‌ ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ଚିଠି ଲେଖିଛନ୍ତି।

ଅଙ୍ଗନୱାଡ଼ି କର୍ମୀ, ହେଲ୍‌ପର୍‌, ସୁପରଭାଇଜର, ସିଡିପିଓଙ୍କୁ ତଥ୍ୟ ଦେବା ପାଇଁ ଚିଠିରେ ନିର୍ଦେଶ ରହିଛି। ଅକ୍ଟୋବର ୨୫ ମଧ୍ୟରେ ସିଭିବିଏମ୍‌ଏସ୍‌-ଭ୍ୟାକ୍‌ସିନେସନ୍‌ ବେନିଫିସିଆରି ମ୍ୟାନେଜ୍‌ମେଣ୍ଟ ସିଷ୍ଟମ(ସିଭିବିଏମ୍‌ଏସ୍‌)ରେ ଡାଟା ଅପ୍‌ଲୋଡ୍‌ କରାଯିବ। ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡ଼ି କର୍ମୀଙ୍କ ଡାଟା ପ୍ରସ୍ତୁତ କରାଯିବ ଏବଂ ତାହା ସିଭିବିଏମ୍‌ଏସ୍‌ରେ ଅପ୍‌ଲୋଡ୍‌ ହେବ। ଏ ନେଇ ଆଇଏମ୍‌ଏ, ଆୟୁଷ ଓ ନର୍ସିଂ ଆସୋସିଏସନ୍‌, ପାରାମେଡ଼ିକ୍‌ କର୍ମଚାରୀ ସଂଘ ଓ ଘରୋଇ ମେଡ଼ିକାଲ୍‌ ସଂଘ ସଭାପତି ସେମାନଙ୍କ ସଦସ୍ୟଙ୍କ ନାମ ଜିଲାପାଳ ଓ ସିଡିଏମ୍‌ଓଙ୍କୁ ପ୍ରଦାନ କରିବା ପାଇଁ ଚିଠି ଲେଖାଯାଇଛି। ଅକ୍ଟୋବର ୨୯ ସୁଦ୍ଧା ସଂଘ ପକ୍ଷରୁ ସମସ୍ତ ସଦସ୍ୟଙ୍କ ନାମ ଜିଲାପାଳ ଓ ସିଡିଏମ୍‌ଓଙ୍କୁ ଦେବାକୁ ପଡ଼ିବ। ଏ ସଂକ୍ରାନ୍ତରେ ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ସ୍ବାସ୍ଥ୍ୟ ସଚିବ ଏସିଏସ୍‌ଙ୍କ ଚିଠି ଲେଖିଛନ୍ତି।