ନୂଆଦିଲ୍ଲୀ, ୨୫/୧୦ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସିକ୍କିମରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତୀୟ ସେନାର ଯବାନମାନଙ୍କ ସହ ଦଶହରା ପାଳନ କରିବା ସହିତ ଅସ୍ତ୍ର ପୂଜା ମଧ୍ୟ କରିବେ । ନିଜର ଏହି ୨ ଦିନିଆ ଗସ୍ତ କାଳରେ ସେ କିଛି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବା ସହିତ ଭାରତୀୟ ସେନାର ଅନେକ ସୀମା ପୋଷ୍ଟ ପରିଦର୍ଶନ କରିବେ। ପ୍ରଥମ ଦିନ ଅବସରରେ ଗତକାଲି ରାଜନାଥ ସିଂହ ଦାର୍ଜିଲିଂରେ ଯବାନଙ୍କୁ ଭେଟି ସେମାନଙ୍କର କାର୍ଯ୍ୟକ୍ରମ ଦେଖିଥିଲେ । ସେ ଫରୱାର୍ଡ ଅଂଚଳରେ ସେନାର ପ୍ରସ୍ତୁତି କିପରି ଅଛି ଏହାର ସମୀକ୍ଷା ମଧ୍ୟ କରିଛନ୍ତି ।
ସୂଚନାଯୋଗ୍ୟ, ବର୍ଷ ୨୦୧୯ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଜୟାଦଶମୀ ଅବସରରେ ଫ୍ରାନ୍ସରେ ଶସ୍ତ୍ର ପୂଜା କରିଥିଲେ । କିନ୍ତୁ ଏଥର ସେ ସିକ୍କିମରେ ଦେଶର ଯବାନଙ୍କ ସହିତ ଏଲଏସିରେ ଶସ୍ତ୍ର ପୂଜା କରିବେ । ପୂର୍ବ ଲଦ୍ଦାଖରେ ସୀମାରେ ଚୀନ ସହିତ ଦେଖାଯାଇଥିବା ଉତ୍ତେଜନା ମଧ୍ୟରେ ଏଲଏସି ମୁତୟନ ଯବାନଙ୍କ ମନୋବଳ ବଢ଼ାଇବା ଲାଗି ସେ ସିକ୍କିମରେ ଭାରତୀୟ ସେନା ସହ ଦଶହରା ପାଳନ କରିବେ ବୋଲି ଜଣାଯାଇଛି ।