ନୂଆଦିଲ୍ଲୀ, ୨୫/୧୦ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ଏକ ସରକାରୀ ଟିଭି ଚ୍ୟାନେଲରେ ଏକ କାର୍ଯ୍ୟକ୍ରମରେ କରୋନା ଭାକସିନକୁ ନେଇ ଏକ ବଡ ଖବର ଦେଇଛନ୍ତି । ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା ଦେଶରେ କୋଭିଡ -୧୯ ଟିକା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଡଃ ବର୍ଦ୍ଧନ କହିଛନ୍ତି ଯେ ଭାରତରେ ତିନୋଟି ପରୀକ୍ଷାମୂଳକ ପର୍ଯ୍ୟାୟରେ ଥିବା ଟିକା ମଧ୍ୟରୁ ଗୋଟିଏ ଟିକା କ୍ଲିନିକାଲ ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ଥିବା ବେଳେ ଅନ୍ୟ ଦୁଇଟି ଦ୍ଵିତୀୟ ପର୍ଯ୍ୟାୟରେ ରହିଛି। ସେ କହିଛନ୍ତି, ଏବେ ଗୋଟିଏ ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପାଇଛି। ଏ ପର୍ଯ୍ୟନ୍ତ ପ୍ରସ୍ତୁତି ଭଲ ଭାବେ ଅଗ୍ରଗତି କରୁଛି ଓ ଯଦି ଆଗାମୀ ଦିନରେ ତାହା ସେଭଳି ସଫଳ ଭାବରେ ଅଗ୍ରଗତି କରେ ତେବେ ଆସନ୍ତା ବର୍ଷ ଜୁନ୍ ଏବଂ ଜୁଲାଇ ପୂର୍ବରୁ ଦେଶରେ ୪୦୦ ରୁ ୫୦୦ ନିୟୁତ ଡୋଜ୍ କୋଭିଡ୍ ଟିକା ଉପଲବ୍ଧ ହେବ। ଏହି ସାକ୍ଷାତକାର ସମୟରେ ସେ ଦେଶବାସୀଙ୍କୁ କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି।