ନୂଆଦିଲ୍ଲୀ, ୨୬/୧୦ : ୧୯୯୯ ମସିହାରେ ହୋଇଥିବା କୋଇଲା ଖାଦାନ ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଅଦାଲତ ଏହି ଏହି ମାମଲାରେ ଜଡିତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ କରାଦଣ୍ଡାଦେଶ ଶୁଣାଇଥିବା ସୂଚନା ମିଳିଛି।
ପୂର୍ବରୁ ଦଣ୍ଡ ଘୋଷଣା ନେଇ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ କୌଣସି କାରଣ ଯୋଗୁ ଅଦାଲତ ଆଜି ଏହା ଘୋଷଣା କରିବେ ବୋଲି ପୁନର୍ବାର ଘୋଷଣା କରିଥିଲେ। ଏହି ମାମଲାରେ ସିବିଆଇ ଦିଲୀପଙ୍କୁ ଆଜୀବନ କାରାବାସ ପ୍ରଦାନ କରାଯିବା ନିମନ୍ତେ ସ୍ବତନ୍ତ୍ର ଅଦାଲତରେ ଯୁକ୍ତି ବାଢ଼ିଥିଲା। ଅନ୍ୟପକ୍ଷରେ ଦିଲିପଙ୍କ ଓକିଲ ତାଙ୍କର ବୟସ ଓ ପୂର୍ବର ଉତ୍ତମ ଛବିକୁ ଦୃଷ୍ଟିରେ ରଖି ଦଣ୍ଡ ବିଧାନ କୋହଳ କରିବାକୁ ଅଦାଲତରେ ଅନୁରୋଧ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସ୍ବତନ୍ତ୍ର ଅଦାଲତର ବିଚାରପତି ଭରତ ପରାଶର ଦଣ୍ଡାଦେଶ ଅକ୍ଟୋବର ୨୬ରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।
୧୯୯୯ ମସିହାର କୋଇଲା ଦୁର୍ନୀତି ମାମଲାରେ ଦିଲୀପଙ୍କ ସହ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କୁ ଅଦାଲତ ପୂର୍ବରୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିପରି କାଷ୍ଟନ୍ ଟେକନୋଲୋଜି ଲିମିଟେଡ୍, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଏବଂ କାଷ୍ଟନ୍ ମାଇନିଂ ଲିମିଟେଡକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା।