ଛାତ୍ରବୃତ୍ତି ଓ ସୁମଙ୍ଗଳ ପୋର୍ଟାଲ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୨୭ /୧୦: ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍‌ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଏହାଦ୍ବାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଦିଆଯାଇଥାଏ।

ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୈଷୟିକ ବିଦ୍ୟାର ପ୍ରୟୋଗ ଦ୍ବାରା ହିଁ ଆମେ ସାଧାରଣ ଲୋକଙ୍କୁ ଦକ୍ଷତା ଓ ସ୍ବଚ୍ଛତାର ସହ ଠିକ୍‌ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇପାରିବା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ୨୦ରୁ ଅଧିକ ବୃତ୍ତି ପ୍ରଦାନ କରାଯାଉଛି। ଏହି ଏକକ ପୋର୍ଟାଲ ଦ୍ବାରା ବୃତ୍ତି ପ୍ରଦାନ କରୁଥିବା ସରକାରୀ ବିଭାଗ ଓ ଆଶାୟୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୂରତ୍ବ କମିପାରିବ। ସେମାନେ ସୁବିଧାରେ ଘରେ ବସି ଆବେଦନ କରିବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବୃତ୍ତି ପାଇପାରିବେ । ଅନୁସୂଚିତ ଜନଜାତି, ଜାତି, ଅନ୍ୟ ପଛୁଆବର୍ଗ, ସାମାଜିକ ଓ ଶିକ୍ଷାଗତଭାବେ ପଛୁଆବର୍ଗ ଆଦି ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ବୃତ୍ତିର ସୁବିଧା ପାଇବାରେ ସର୍ବାଗ୍ରେ ରହୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ।