ବଡଗାମରେ ଏନକାଉଣ୍ଟର: ୨ଆତଙ୍କବାଦୀଙ୍କୁ ନିହତ କଲା ସୁରକ୍ଷା ବାହିନୀ

ଶ୍ରୀନଗର, ୨୮/୧୦ : ଜମ୍ମୁ-କଶ୍ମୀରର ବଡଗାମ ଜିଲ୍ଲାର ଆରିବାଗ ମଚହାମା ଅଞ୍ଚଳରେ ଗତକାଲି ରାତିରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ଆତଙ୍କବାଦୀମାନେ ମଧ୍ୟ ଗୁଳିଚାଳନା କରିଥିଲେ। ଏହି ଗୁଳି ବିନିମୟ ମଧ୍ୟରେ ଆତଙ୍କବାଦୀମାନେ ଲୁଚି ରହିଥିବା ଘରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ସୂତ୍ରରୁ ପ୍ରକାଶ ଯେ ନିହତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର କମାଣ୍ଡର ଥିଲେ।

ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବାପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ କର୍ଡନ କଡାକଡି ହେବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। କିଛି ସମୟ ପାଇଁ ଉଭୟ ପାର୍ଶ୍ୱରୁ ଗୁଳି ଚଳାଇବା ପରେ ଅନ୍ୟ ପାର୍ଶ୍ୱରୁ ଗୁଳି ଚଳାଇବା ବନ୍ଦ ହୋଇଗଲା। ପରେ ପୁଣି ଗୁଳି ବିନିମୟ ଆରମ୍ଭ ହେଲା | ଏହା ସହିତ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଲା | ଗାଁର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକକୁ ସିଲ୍ କରାଯାଇତିଲା ଯାହା ଦ୍ବାରା ଆତଙ୍କବାଦୀମାନେ ଅନ୍ଧକାରର ସୁଯୋଗ ନେଇ ଫେରାର ହୋଇ ପାରିବେ ନାହିଁ।