ବାରିପଦା, ୨୮/୧୦: ମୟୁରଭଞ୍ଜରେ ଥିବା ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏନେଇ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳୀକୁ ଅନୁସରଣ କରିବା ବାଧ୍ୟତାମୂଳକ ବୋଲି କତ୍ତୃପକ୍ଷ୍ୟ ଦର୍ଶାଇଛନ୍ତି।
ସେହିପରି ପ୍ରତ୍ୟେକ ଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ ଗୋଟି ଓ ଯଶୀପୁରର କାଳିଆଣି ଫାଟକ ମଧ୍ୟ ଦେଇ ୩୫ ଗୋଟି ଚାରିଚକିଆ ଯାନର ପ୍ରବେଶ ନିମନ୍ତେ ସର୍ବପ୍ରଥମେ ଆସିଥିବା ଯାନଗୁଡ଼ିକ ମଧ୍ୟରୁ କ୍ରମାନ୍ୱୟ ଅନୁସାରେ ଅନୁମିତି ମିଳିପାରିବ । ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ।
ପ୍ରବେଶ ଓ ପ୍ରସ୍ଥାନ ସମୟରେ ଫାଟକରେ ପର୍ଯ୍ୟଟକଙ୍କର ଯାନବାହନ, ଜିନିଷପତ୍ର ସହିତ ସେମାନଙ୍କୁ ଯାଂଚ କରାଯିବ । ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡ଼ିବେ । ପର୍ଯ୍ୟଟକମାନଙ୍କୁ ୱେବସାଇଟ www.ecotourodisha.comùeରେ ଅଗ୍ରୀମ ଆରକ୍ଷଣ କରାଇବାକୁ ପଡ଼ିବ ।