ମହାକାଳପଡ଼ା – ୩୦ /୧୦ – (କେଶବ ଚରଣ ନାଥ) : କେନ୍ଦ୍ରାପଡା ଜିଲ୍ଲା ଉପକୂଳ ମହାକାଳପଡ଼ା ବ୍ଲକ ଜମ୍ବୁ ପଂଚାୟତ ବଙ୍ଗୋପସାଗରର ଅନତି ଦୂରରେ ଅବସ୍ଥିତ କଣ୍ଡରାପାଟିଆ ଗାଁ । କଣ୍ଡରାପାଟିଆ ମୁହାଣ କୂଳରେ ଗାଁ ଟି ରହିଥିବାରୁ ଏପରି ନାମିତ କରାଯାଇଛି । ଏହି ଉପକୂଳ ଗ୍ରାମଟିକୁ କୌଣସି ଯୋଗାଯୋଗ ପଥ ନଥିବାରୁ ଗାଁ ବାହାରକୁ ଯାତାୟତ କରିବା କଷ୍ଟସାପେକ୍ଷ ହେଉଥିଲା । ଏନେଇ ବହୁଦିନ ତଳେ ହୋଇଥିବା ମାଟିରାସ୍ତାଟି କ୍ଷୟ ହେବାରେ ଲାଗିଛି । ଅଧିକାଂଶ ସମୟରେ ଝଡ଼ ବତାସ ଯୋଗୁ ମୁହାଣ ମୁହଁର ସାମୁଦ୍ରିକ ଜୁଆର ଢେଉ ମାଟି ରାସ୍ତାକୁ ଧୋଇ ନେଉଛି । ସେଦିନର ପ୍ରସ୍ତୁତ ରାସ୍ତା ଦିନକୁ ଦିନ କ୍ଷୟ ହୋଇ ମାଟିରେ ଲୀନ ହବାକୁ ବସିଲାଣି । ଯେପରି ଠିକ ୨୧ ବର୍ଷ ତଳେ ୧୯୯୯ ମହାବାତ୍ୟାରେ ସମ୍ପୂର୍ଣ୍ଣ ଗ୍ରାମଟି ଜଳମଗ୍ନ ହେବାରୁ ଗ୍ରାମସ୍ତ ୭୦ପରିବାର ଗୃହଶୂନ୍ୟ ହୋଇ ମେଘଝଡିରେ ଭିଜିଭିଜି ଜୀବନ ବଞ୍ଚାଇବାକୁ ସଂଗ୍ରାମ କରିଥିଲେ । ପାଣି ବଢ଼ି ବାରୁ ଘର ଦ୍ୱାର ପଶୁ ପକ୍ଷୀ ଭାସିଯାଇଥିଲେ । ଗାଁକୁ ରାସ୍ତା ନଥିବାରୁ ବାହାରୁ ଭାସି ଆସି ଥିବା ୩ ଟି ଚାଳ ଘର ଉପରେ ଆଶ୍ରା ନେଇଥିଲେ ବିପଦ ସଂକୁଳ ଲୋକେ । ମହାବାତ୍ୟାର ୩ ଦିନ ପରେ ପ୍ରଶାସନ ସେମାଙ୍କୁ ଜମ୍ବୁରେ ରଖାଇଥିଲେ । ପରିସ୍ଥିତି ସୁଧୁରିବା ପରେ ଧୀରେ ଧୀରେ ଗାଁ କୁ ଫେରି ଥିଲେ ।

ମହାବାତ୍ୟା ସମୟରେ ଉପଯୁକ୍ତ ରାସ୍ତା ନଥିବାରୁ କଣ୍ଡରାପାଟିଆ ଲୋକେ ବିପଦ ଜାଣି ସୁଦ୍ଧା ସ୍ଥାନାନ୍ତରିତ ହୋଇନପାରି ମହାବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ସୁରକ୍ଷିତ ସ୍ଥାନକୁ ଯାଇ ନ ପାରି ବୃଦ୍ଧ, ବୃଦ୍ଧା, ଗର୍ଭବତୀ, ଶିଶୁ ସଭିଏଁ ନିଜ ନିଜ ଜୀବନ ପାଇଁ ସଂଗ୍ରାମ ଜାରି ରଖିଥିଲେ । କିନ୍ତୁ ଦୁଃଖର କଥା ମହାବାତ୍ୟାର ୨୧ ବର୍ଷ ପରେ ବି ଗାଁ କୁ ସଂଯୁକ୍ତ ହୋଇପାରିନି ସବୁଦିନିଆ ରାସ୍ତା । ଏବେବି ଗାଁ ଲୋକେ ପୁରୁଣା ମାଟି ରାସ୍ତାରେ ଯାତାୟତ କରୁଛନ୍ତି । ଏପରିକି ଅସରାଏ ବର୍ଷା ହେଲେ କାଦୁଅ ପଚ ପଚ ରାସ୍ତାରେ ବହୁଅସୁବିଧାରେ ଯିବାଆସିବା କରନ୍ତି । ରୋଗ ବୈରାଗ ହେଲେ ରୋଗୀ କୁ ଭାର କିମ୍ବା ଖଟିଆ ରେ ୨ କିଲୋମିଟର ବୋହି ବାକୁ ପଡିଥାଏ । ସେପଟେ ଘର ଢିହ ପଟ୍ଟା ଅଭାବରୁ ପକ୍କା ଗୃହ ଯୋଜନାରେ ସାମିଲ ହୋଇ ପାରୁ ନାହାଁନ୍ତି ଗରିବ ପରିବାର । ପକ୍କା ରାସ୍ତା ଓ ପକ୍କା ସଡ଼କରୁ ବଂଚିତ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।