ପ୍ରୟାଗରାଜ, ୩୧/୧୦ : ବିବାହ ପ୍ରସଙ୍ଗରେ ଧର୍ମ ପରିବର୍ତ୍ତନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟ କହିଛନ୍ତି, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଗ୍ରହଣୀୟ ନୁହେଁ । ଏପରି ଭାବେ ଧର୍ମ ପରିବର୍ତ୍ତନ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ କରାଯାଇଥାଏ। ଧର୍ମ ପରିବର୍ତ୍ତନ ପରେ ବିବାହ କରିଥିବା ଏକ ଦମ୍ପତିଙ୍କ ସୁରକ୍ଷା ପାଇଁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିବାବେଳେ ଜଷ୍ଟିସ ଏମସି ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ବିବରଣୀରୁ ଜଣାଯାଇଛି ନବବିବାହିତା ଦମ୍ପତ୍ତି କୋର୍ଟରେ ଆବେଦନ କରିଥିଲେ ଯେ, ତାଙ୍କର ବିବାହରେ ପୋଲିସ ଓ ତାଙ୍କର ପିତା ସମସ୍ୟା ସୃଷ୍ଟି ନକରନ୍ତୁ । ନ୍ୟାୟମୂର୍ତ୍ତି ଏମସି ତ୍ରିପାଠୀ ଗତ ମାସରେ ପ୍ରିୟାଂଶୀ ଓରଫ ସମରୀନ ଏବଂ ତାଙ୍କର ଜୀବନ ସାଥୀ ଦ୍ୱାରା ଅଣାଯାଇଥିବା ଏକ ଆବେଦନ ଉପରେ ଆଦେଶ ପାରିତ କରିଥିଲେ । ଆବେଦନରେ କୁହାଯାଇଥିଲା ଯେ, ସେମାନେ ଚଳିତ ବର୍ଷ ଜୁଲାଇରେ ବିବାହ କରିଥିଲେ । କିନ୍ତୁ କନ୍ୟା ପରିବାର ଲୋକେ ବିବାହରେ ହସ୍ତକ୍ଷେପ କରୁଛନ୍ତି । ଏହି ଆବେଦନକୁ ଖାରଜ କରି ଅଦାଲତ କହିଛନ୍ତି, ଅଦାଲତ ଆବେଦନ ଦେଖିବା ପରେ ଜାଣିବାକୁ ପାଇଛନ୍ତି ଯେ, ୨୦୨୦ ଜୁନ ୨୯ରେ ଝିଅ ନିଜର ଧର୍ମ ପରିବର୍ତ୍ତନ କରିଥିଲେ ଏବଂ ଏକ ମାସ ପରେ ୨୦୨୦ ଜୁଲାଇ ୩୧ରେ ବିବାହ କରିଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଧର୍ମ ପରିବର୍ତ୍ତନ କେବଳ ବିବାହ ପାଇଁ କରାଯାଇଛି । ଅଦାଲତ ନୂର ଜହାଁ ବେଗମଙ୍କ ମାମଲାକୁ ଉଦାହରଣ ଦେଇଥିଲେ, ଯାହାକି ୨୦୧୪ରେ ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ କେବଳ ବିବାହ ଉଦ୍ଦେଶ୍ୟରେ ଧର୍ମ ପରିବର୍ତ୍ତନ ଅସ୍ୱୀକାର ଅଟେ ।
ନୂର ଜହାଁ ବେଗମ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଆବେଦନକୁ ଖାରଜ କରିଥିଲେ, ଯେଉଁଥିରେ ବିବାହିତ ଦମ୍ପତ୍ତି ସୁରକ୍ଷା ଦାବି କରି ପ୍ରାର୍ଥନା କରିଥିଲେ । କାରଣ ଏହି ମାମଲାରେ ଝିଅ ହିନ୍ଦୁ ଥିବା ବେଳେ ତାଙ୍କର ସ୍ୱାମୀ ଇସଲାମ ଧର୍ମ ଗ୍ରହଣ କରିବା ପରେ ନିକାହ କରିଥିଲେ ।