ଏସଟିଏଫ ଜାଲରେ ଡ୍ରଗ୍ସ ବେପାରୀ : ୧ କେଜିରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ଜବତ
୧୦ ମାସରେ ୨୨ କେଜିରୁ ଉର୍ଦ୍ଧ୍ଵ ବ୍ରାଉସୁଗର ଜବତ, ୨୪ ମାମଲା ରୁଜୁ ଓ ୪୪ ନିଶା ବେପାରୀ ଗିରଫ
ଭୁବନେଶ୍ୱର,୩୧ /୧୦ : (ପ୍ରଦୀପ୍ତ କୁମାର ଦାସ) – ରାଜ୍ୟ କ୍ରାଇମ ବ୍ରାଞ୍ଚ ଏସଟିଏଫ ବେଶ ସଫଳତା ପୂର୍ବକ ଗତ ୧୦ ମାସ ମଧ୍ୟରେ ବାଇଶି କେଜିରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ତଥା ଧଳା ଜହର ଜବତ କରିଥିବା ଜଣାଯାଇଛି । ସୁବ୍ୟବସ୍ଥିତ ବିଭାଗୀୟ ଗୁଇନ୍ଦା ସୂତ୍ର କ୍ରମରେ ଏହି ସ୍ୱତନ୍ତ୍ର ଟାସ୍କ ଫୋର୍ସ ଚଳିତ ବର୍ଷ ଅର୍ଥାତ ୨୦୨୦ ରେ ଅଦ୍ୟାବଧି ଏ ସଂକ୍ରାନ୍ତରେ ୨୪ଟି ଏନ୍ଡିପିଏସ ମାମଲା ରୁଜୁ କରିବା ସହ ଏଥିରେ ସମ୍ପୃକ୍ତ ମୋଟ ୪୪ଜଣ ବ୍ରାଉନ ସୁଗର ବେପାରିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛ । ତେବେ ଏହି କ୍ରମରେ ପୁଣି ଶୁକ୍ରବାର ସ୍ଥାନୀୟ ବରମୁଣ୍ଡା ବସ ଷ୍ଟାଣ୍ଡରୁ ଏସଟିଏଫ ଜଣେ କୁଖ୍ୟାତ ଡ୍ରଗ୍ସ ବେପାରୀ ସେକ ହସିମ ବକ୍ସକୁ ଗିରଫ କରିବା ସହ ତା ଠାରୁ ୧ କେଜିରୁ ଉର୍ଦ୍ଧ୍ବ ପରିମାଣର ବ୍ରାଉନ ସୁଗର ଜବତ କରିଛି । ଏହାକୁ ଚୋରା ଚାଲାଣ କରିବାକୁ ସେ ଉଦ୍ୟମ କରୁଥିବାବେଳେ ନିଜସ୍ୱ ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଟିଏଫ ଟିମ ତାକୁ ସେଠାରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ତେବେ ଆନ୍ତର୍ଜାତିୟ ବଜାରରେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ସେକର ଘର ଜଳେଶ୍ୱର ଅଂଚଳରେ ବୋଲି ଜଣାପଡିଛି । ତେବେ ଏ ସଂକ୍ରାନ୍ତରେ ଏସଟିଏଫ ଥାନାରେ ଏକ ଏନ୍ଡିପିଏସ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହି କଳା କାରନାମାର ଉତ୍ସକୁ ଠାବ କରିବାକୁ ଏସ୍ଟିଏଫ ପ୍ରୟାସ ଚଳାଇଥିବା ଜଣାପଡିଛି ।