ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଏଡାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ବର,୪/୧୧ : ଓଡିଶାରେ ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି କୋଭିଡ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇବାକୁ ହେଲେ ଆମକୁ କୋଭିଡ ନିୟମ ଯଥା – ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଆଦି ବ୍ୟବସ୍ଥାକୁ କଡାକଡି ଭାବରେ ଜାରି ରଖିବାକୁ ପଡିବ । ଏଥିରେ ଆଦୌ କୋହଳ କରାଯାଇପାରିବ ନାହିଁ । କାରଣ ଲକ୍‌ଡାଉନ ପରି କଠିନ ପରିସ୍ଥିତିକୁ ଏଡାଇବା ପାଇଁ ଏହାହିଁ ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର କମି ଥିବାରୁ ଓ ଆରୋଗ୍ୟ ହାର ବଢୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଓନାମ୍‌ ପର୍ବ ପାଳନ ପରେ କେରଳରେ ଉପୁଜିଥିବା ଅବସ୍ଥା ଏବଂ ଦିଲ୍ଲୀର ବର୍ତ୍ତମାନ ଅବସ୍ଥା ସଂପର୍କରେ ଉଦାହରଣ ଦେଇ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ଏ କ୍ଷେତ୍ରରେ ସାମାନ୍ୟ ଢିଲାପଣ ଗ୍ରହଣୀୟ ନୁହେଁ ବୋଲି କହିଥିଲେ।

ଗତ ପୂଜା ସମୟରେ କୋଭିଡ ନିୟମ ମାନି ଜନସାଧାରଣ ଶୃଙ୍ଖଳା ଓ ସଂଯମତାର ସହିତ ପର୍ବ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସମୟରେ ପ୍ରଶାସନ ଓ ପୋଲିସ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ । ଆଗକୁ ଦୀପାବଳି ଆସୁଥିବାରୁ ସେହିଭଳି ଶୃଙ୍ଖଳା ଓ ସଂଯମତା ରକ୍ଷା କରି ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଦୀପାବଳି କଟକଣା ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ଜିଲ୍ଲାଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏହି କଟକଣାକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପି.କେ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।