କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ୫ ସଭ୍ୟ ମତ ଦାନରୁ ବଂଚିତ

କେନ୍ଦ୍ରାପଡା,୬ /୧୧ : କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କ ମୃତ୍ଯୁର କିଛିଦିନ ପରେ ପରେ ଅଧ୍ୟକ୍ଷ ପଦବୀ ନେଇ ଅନେକ ଆଶାୟୀ ମଧ୍ୟରେ ଛକାପଞ୍ଜା ଆରମ୍ଭ ହୋଇଥିଲା । କେନ୍ଦ୍ରାପଡା ବିଧାୟକଙ୍କ ଆନୁଗତ୍ୟ ଶିବପ୍ରସାଦ ବଳ ଓ ଅନ୍ୟ ଜଣେ ସେହି ଦଳୀୟ ସଭ୍ୟ ହେମନ୍ତ ବିଶ୍ୱାଳଙ୍କ ନାମ ଚର୍ଚାରେ ରହିଥିଲା । କିନ୍ତୁ ଦୁଃଖର କଥା ଗାଙ୍ଗପଡା ପଂଚାୟତରେ ସ୍ବର୍ଗତ ଧଳଙ୍କ ଦେହାନ୍ତର ଦେଢ଼ମାସ ପରେ ସରକାରୀ କଳ ସମ୍ପୃକ୍ତ ପଂଚାୟତରେ ସମିତି ସଭ୍ୟ ଉପନିର୍ବାଚନ କରାଇବା ପୂର୍ବରୁ ଅଧ୍ୟକ୍ଷ ଉପନିର୍ବାଚନ ଘୋଷଣା କରିଥିଲେ । ଏନେଇ କିଛି ଲୋକ ପ୍ରଥମେ ଗାଙ୍ଗପଡ଼ା ପଂଚାୟତର ସମିତି ସଭ୍ୟ ନିର୍ବାଚନ ଓ ପରେ ଅଧ୍ୟକ୍ଷ ନିର୍ଵାଚନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । କିନ୍ତୁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ନଭେମ୍ୱର ୬ ତାରିଖ ଶୁକ୍ରବାର ଦିନ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନିର୍ବାଚନରେ ୨୬ ପଂଚାୟତର ସମିତି ସଭ୍ୟ /ସଭ୍ୟା ମତ ଦାନ କରିବାର ଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ସରକାରୀ ଦଳୀୟ କ୍ୟାମ୍ପରେ ଆଶ୍ରିତ ୨୦ଜଣଙ୍କ ମଧ୍ୟରୁ ସଂଦେହୀ ୫ ଜଣଙ୍କୁ ଜାଣିଶୁଣି ଧାର୍ଯ୍ୟ ସମୟପରେ ମତଦାନ କେନ୍ଦ୍ରକୁ ଅଣାଯାଇଥିଲା । ଯାହାନେଇ ସେମାନେ ମତଦାନରୁ ବଂଚିତ ରହିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଛି । ଅନ୍ୟ ପକ୍ଷରେ ଶିବପ୍ରସାଦ ବଳଙ୍କ ସପକ୍ଷରେ ୧୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିପକ୍ଷରେ ୯ ଖଣ୍ଡ ଭୋଟ ଯାଇଛି । ସର୍ବଶେଷରେ ଶିବପ୍ରସାଦ ବଳ ନିକଟତମ ପ୍ରତିଦ୍ବନ୍ଦୀ ହେମନ୍ତ ବିଶ୍ୱାଳଙ୍କ ଠାରୁ ୨ ଖଣ୍ଡ ଅଧିକ ଭୋଟ ପାଇଁ ନିର୍ବାଚିତ ହୋଇଥିବାର ଜଣାପଡିଛି ।