ନବରଙ୍ଗପୁର: ଡକାୟତି ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହେଲା ନବରଙ୍ଗପୁର ପୋଲିସ । ଡକାୟତି ଉଦ୍ୟମ କରୁଥିବା ସନ୍ଦେହରେ ନବରଙ୍ଗପୁର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ବିଭିନ୍ନ ପ୍ରକାର ମାରଣାବସ୍ତ୍ର ଜବତ କରିଛି । ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ପୁଲିସର ଏକ ପେଟ୍ରୋଲିଂ ଟିମ୍ ଗତକାଲି ରାତି ପ୍ରାୟ ୧.୩୦ ମିନଟ ସମୟରେ ସହର ଉପକଣ୍ଠରେ ଥିବା ହିର୍ଲି ନିକଟରେ ଥିବା ନୂତନ ମଣ୍ଡେଇ ପଡିଆରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୬ ଜଣ ରହିଥିଲେ ମଧ୍ୟ ୨ ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ୪ ଜଣଙ୍କୁ ପୁଲିସ କାବୁ କରିଥିଲେ। ସେମାନଙ୍କ ନିକଟରୁ ଏକ ଏୟାର ବନ୍ଧୁକ ସମେତ ୨ଟି ମୋଟର ସାଇକେଲ, ୪ଟି ମୋବାଇଲ ଗୋଟିଏ ଲୁହାରଡ୍, ଖଣ୍ଡା, ଟାଙ୍ଗିଆ, କାଠ ଠେଙ୍ଗା ଆଦି ଜବତ କରିଛି।
ଧରାପଡିଥିବା ଯୁବକମାନେ ହେଲେ ଗୋପିନାଥ ମଲିକ, ଗୌତମ ଦାସ, ସୁଶାନ୍ତ ରାଉତ, କାହ୍ନୁଚରଣ ସାହୁ । ଚାରିଜଣଙ୍କ ମଧ୍ୟରୁ ଜଣଙ୍କର ନାମରେ ଇନ୍ଦ୍ରାବତୀ ଥାନାରେ ମାମଲା ଥିବା ବେଳେ ଜଣକଙ୍କ ନାମରେ ନବରଙ୍ଗପୁର ଥାନାରେ ମାମଲା ଥିବା ପୋଲିସ ସୂଚନା ଦେଇଛି I ନବରଙ୍ଗପୁର ଥାନାରେ କେସ ନଂ ୨୫୩/୨୦୨୦ ଦଫା ୩୯୯ ଓ ୪୦୨ ରେ ମାମଲା ରୁଜୁ କରି ୪ ଜଣ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।