ନୂଆଦିଲ୍ଲୀ, ୮/୧୧ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ଦିନରେ ଆମେରିକାର ନୂତନ ରାଷ୍ଟ୍ରପତିଙ୍କ ସହିତ କାର୍ଯ୍ୟ କରି ଭାରତ-ଆମେରିକାର ସଂପର୍କକୁ ଆହୁରି ଉଚ୍ଚ ସ୍ତରକୁ ନେଇଯିବାକୁ ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏଥି ସହିତ ମୋଦୀ ଭାରତ ବଂଶୋଦ୍ଭବ କମଳା ହାରିସଙ୍କୁ ମଧ୍ୟ ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବାରୁ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋ ବାଇଡେନଙ୍କୁ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଶୁଭକାମନା ଜଣାଇ ଟୁଇଟ କରିଛନ୍ତି । ଟୁଇଟରେ ଲେଖିଛନ୍ତି, ଆପଣଙ୍କର ବିପୁଳ ବିଜୟ ଲାଗି ଶୁଭେଚ୍ଛା ଜଣାଉଛି । ଉପରାଷ୍ଟ୍ରପତି ଭାବେ କାର୍ଯ୍ୟକରି ଭାରତ-ଆମେରିକା ସଂପର୍କକୁ ମଜବୁତ କରିବାରେ ଆପଣଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଓ ଅମୂଲ୍ୟ ରହିଥିଲା । ଆମେରିକୀୟ ସଂପର୍କକୁ ଅଧିକରୁ ଅଧିକ ଉଚ୍ଚସ୍ତରକୁ ନେଇଯିବାରେ ପୁଣି ଥରେ ଏକ ହୋଇ କାମ କରିବାକୁ ଆଶା କରୁଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ଉପରାଷ୍ଟ୍ରପତି ଚୟନ ହୋଇଥିବା ଭାରତ ବଂଶେଦ୍ଭବ କମଳା ହାରିସଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଲେଖିଛନ୍ତି ଯେ, ଶୁଭକାମନା କମଳା ହାରିସ ! ଆପଣଙ୍କ ବିଜୟ ସମସ୍ତ ଭାରତୀୟ-ଆମେରିକୀୟଙ୍କ ଲାଗି ଗର୍ବର କଥା । ମୋର ବିଶ୍ୱାସ ଯେ, ଆପଣଙ୍କ ସମର୍ଥନ ଓ ନେତୃତ୍ୱରେ ଭାରତ-ଆମେରିକାର ସଂପର୍କ ଆହୁରି ଶକ୍ତିଶାଳୀ ହେବ ।