ଭୁବନେଶ୍ୱର, ୮/୧୧ : ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢୁଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ଖସୁଛି। ୨୪ଘଣ୍ଟା ମଧ୍ୟରେ ୪ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ଡ଼ିଗ୍ରୀ ତଳକୁ ଖସିଛି। ଏଥିମଧ୍ୟରୁ ସୋନପୁର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇ ୧୧.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଆଗକୁ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆଜିଠାରୁ ରାଜ୍ୟରେ ଶୀତ ପ୍ରକୋପ ଆହୁରି ବଢ଼ିବ । ଆସନ୍ତା ୨ ଦିନ ଭିତରେ ଉପକୂଳ ଓଡ଼ିଶାରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ । ସେହିଭଳି ଆଭ୍ୟନ୍ତରୀଣ ଅଞ୍ଚଳରେ ୧-୨ ଡିଗ୍ରୀ ଖସିପାରେ ରାତି ତାପମାତ୍ରା । ରାଜ୍ୟରେ ଗତ ୪ ତାରିଖରୁ ଶୀତ ପ୍ରକୋପ କ୍ରମଶଃ ବଢ଼ିବାରେ ଲାଗିଛି । ସୋନପୁର ପଛକୁ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବାବେଳେ ଦାରିଙ୍ଗିବାଡ଼ି ୧୪ ଡିଗ୍ରୀ, ଝାରସୁଗୁଡ଼ା ୧୪.୧, କେନ୍ଦୁଝର ୧୫, କୋରାପୁଟ ୧୫.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ଏହାବାଦ୍ ରାଜ୍ୟର ବାକି ଅଞ୍ଚଳରେ ଧୀରେଧୀରେ ଶୀତ ଅନୁଭୂତ ହେଲାଣି । ଉପକୂଳ ଓଡ଼ିଶାରେ ମଧ୍ୟ ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିବାରେ ଲାଗିଛି । ଏପଟେ ଶନିବାର ସନ୍ଧ୍ୟାରୁ ଅନେକ ଅଞ୍ଚଳରେ ହାଲୁକା ଥଣ୍ଡା ଅନୁଭୂତ ହେଲାଣି। ଆସନ୍ତା ୧୧ ତାରିଖ ବେଳକୁ ଉପକୂଳ ଓଡ଼ିଶାର କେତେକ ଜାଗା ସମେତ କନ୍ଧମାଳ, ରାୟଗଡ଼ାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।