ଶ୍ରୀନଗର, ୧୧/୮ : ଆତଙ୍କବାଦୀଙ୍କ ବିରୋଧରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀର କାର୍ଯ୍ୟନୁଷ୍ଠାନ ଚାଲିଛି। ଆଜି କାଶ୍ମୀରର କୁପଓ୍ୱାଡା ଜିଲ୍ଲାର ମାଛିଲ ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଜଣେ କ୍ୟାପ୍ଚେନଙ୍କ ସହ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଏହି ଗୁଳି ବିନିମୟ ହୋଇଥିଲା ।
ବିଏସଏଫ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଶନିବାର ବିଳମ୍ବିତ ରାତ୍ରରେ ୧୬୯ ବାଟାଲିୟନର ଯବାନମାନେ ମାଛିଲ ସେକ୍ଟରରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ନିୟନ୍ତ୍ରଣ ରେଖା ନିକଟରେ କିଛି ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ସୂଚନା ମିଳିଥିଲା । ଯବାନମାନେ ତୁରନ୍ତ ପୋଜିସନ ନେଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଗୁଳି ବିନମୟ ବେଳେ ପାକିସ୍ତାନର ସୈନ୍ୟ ପୋଷ୍ଟରୁ ଭାରତୀୟ ସୀମାରେ ଗୁଳି ମାଡ କରାଯାଇଥିଲା । ଫଳରେ ବିଏସଏଫର ଜଣେ ଯବାନ ସୁଦୀପ କୁମାର ସହିଦ ହୋଇଛନ୍ତି । ଶରୀରରେ ଗୁଳି ଲାଗିବା ସତ୍ତ୍ୱେ ସୁଦୀପ ବୀରତ୍ୱର ସହ ଲଢିଥିଲେ । ତେବେ ଘଟଣାସ୍ଥଳରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ୍ ଓ ଦୁଇଟି ବ୍ୟାଗ୍ ଜବତ ହୋଇଛି ।