ନୂଆଦିଲ୍ଲୀ, ୮/୧୧ : ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଚୀନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ଲଦାଖ ଚୁଶୁଲରେ ପୁଣି ଉଭୟ ଦେଶ ମଧ୍ୟରେ ଅଷ୍ଟମ ଥର କମାଣ୍ଡର ସ୍ଥରୀୟ ବୈଠକ ହୋଇଛି। ଖୁବ ଶୀଘ୍ର ସୀମାରେ ଶାନ୍ତି ରକ୍ଷା କରିବାକୁ ଏବଂ ନିୟନ୍ତ୍ରଣ ରେଖାରେ ବିବାଦ ସମାଧାନ ପାଇଁ ଆଉ ଏକ ବୈଠକ ହେବ ବୋଲି କୁହାଯାଉଛି। ଶୁକ୍ରବାର ଦିନ ବସିଥିବା ବୈଠକରେ ଦୁଇ ଦେଶ ସୀମାରେ ଶାନ୍ତି ବଜାୟ ରଖିବାକୁ ସହମତି ଦେଇଛନ୍ତି।
ଏହି ବୈଠକ ପରେ ଭାରତ ତରଫରୁ ବୟାନ ଜାରି କରି କୁହାଯାଇଛି ଯେ ଭାରତ ଓ ଚୀନ ମଧ୍ୟରେ ପଶ୍ଚିମ କ୍ଷେତ୍ରରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଡିସ୍-ଏନଗେଜମେଣ୍ଟକୁ ନେଇ ଗମ୍ଭୀର ଭାବେ ଆଲୋଚନା ହୋଇଛି। ବୈଠକରେ ନିଆଯାଇଥିବା ପଦକ୍ଷେପଗୁଡିକୁ ଉଭୟ ପକ୍ଷ ଲାଗୁ କରିବାକୁ ସହମତି ଦେଇଛନ୍ତି। ସୀମାରେ ସଂଯମ ରକ୍ଷା କରିବାକୁ ଦୁଇ ଦେଶ ସହମତ ଅଛନ୍ତି ଏବଂ କୌଣସି ଭୁଲ ବୁଝାମଣାର ଶିକାର ହେବେନାହିଁ ବୋଲି କହିଛନ୍ତି। ଖୁବ ଶୀଘ୍ର ଦୁଇ ଦେଶ ମଧ୍ୟରେ ଆଉ ଏକ ବୈଠକ ହେବାକୁ ନେଇ ଜୋର ଦିଆଯାଇଛି ଯାହାଫଳରେ ଆଗକୁ କଥାବାର୍ତ୍ତା ସ୍ପଷ୍ଟ ହୋଇପାରିବ।