ନୟାଗଡରେ ଦେଶୀ ବନ୍ଧୁକ କାରଖାନା ଠାବ; ଜଣେ ଗିରଫ

ନୟାଗଡ଼ : ନୟାଗଡରେ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି । ସଦର ଥାନା ଅନ୍ତର୍ଗତ ମାଳିସାହିରେ ଚାଲିଥିଲା ବନ୍ଧୁକ କାରଖାନା । କାରଖାନାରୁ ୩ ଦେଶୀ ବନ୍ଧୁକ ସହ ବହୁ ବିଷ୍ପୋରକ ଏବଂ ବନ୍ଧୁକ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । କାରଖାନାର ମାଷ୍ଟରମାଇଣ୍ଡ କାବୁଲି ମହାରଣାକୁ ଗିରଫ କରିଛି ପୋଲିସ ।

କାବୁଲି କାଠ ମିସ୍ତ୍ରୀ ଭାବେ ବୃତ୍ତି ନିର୍ବାହ କରୁଥିବା ବେଳେ, ଭିତରେ ଭିତରେ ନିଜ ଘର ମଧ୍ୟରେ ଏଭଳି ବନ୍ଧୁକ ତିଆରି କରୁଥିବା ଜଣାପଡ଼ିଛି। ୨୦୧୮ ମସିହାରେ କାବୁଲି ଏଭଳି ବେଆଇନ କାରବାର ନେଇ ମଧ୍ୟ ଗିରଫ ହୋଇଥିଲେ ।

ସୂଚନାଅନୁସାରେ ସେ ବିଭିନ୍ନ ସରଞ୍ଜାମ ସଂଗ୍ରହ କରି ବନ୍ଧୁକ ତିଆରି କରୁଥିଲେ। ବରାଦ ଅନୁସାରେ କାବୁଲି ବନ୍ଧୁକ ତିଆରି କରୁଥିଲେ ଏବଂ ୫ ହଜାର ଟଙ୍କା ଦାମରେ ସେ ଏହାକୁ ବିକ୍ରି କରୁଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଗତକାଲି ରାତିରେ ଅତିରିକ୍ତ ଏସପି ଉମାକାନ୍ତ ମଲ୍ଲିକ, ଏସଡିପିଓ ନିରଞ୍ଜନ ପାଢୀ, ଟାଉନ ଥାନା ଓ ସଦର ଥାନା ପୁଲିସ ଟିମ୍ ମାଳିସାହିରେ ଚଢାଉ କରିଥିଲା।